ଓଡ଼ିଶାରେ ଆଇଟି କ୍ଷେତ୍ରକୁ ଭୁବନେଶ୍ୱର ବାହାରେ ବିସ୍ତାର କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ଉପରେ କାମ କରୁଛନ୍ତି। ଆଇଟି କମ୍ପାନି ଓ ଟେକ୍ନୋଲୋଜି ଭିତ୍ତିକ ବ୍ୟବସାୟକୁ ଅନ୍ୟ ସହରକୁ ନେବା ଲକ୍ଷ୍ୟରେ ୧୨ଟି ଜିଲ୍ଲାରେ ଆଇଟି ପାର୍କ କିମ୍ବା ଟେକ୍ ବିଜିନେସ୍ ପାର୍କ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି।
କଟକ, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ ଓ ସୁନ୍ଦରଗଡ଼କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହାଦ୍ୱାରା ଉପକୂଳ, ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆଇଟି ଭିତ୍ତିଭୂମିର ବିକାଶକୁ ବଢ଼ାଇବା ଉଦ୍ଦେଶ୍ୟ ରହିଛି।
କେନ୍ଦୁଝରରେ ଟେକ୍ ବିଜିନେସ୍ ପାର୍କ ପାଇଁ ଜମି ହସ୍ତାନ୍ତର ସରିଥିବା ବେଳେ ଡିପିଆର୍ ମଧ୍ୟ ପ୍ରସ୍ତୁତ ହୋଇଛି। ଆଗକୁ ଏହାର ବିକାଶ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ଆହ୍ୱାନ କରାଯିବ। ଏହା ସହ ଭୁବନେଶ୍ୱରର ଡମଣା ଅଞ୍ଚଳରେ ୨୫ ଏକର ଜମିରେ ମେଗା ଆଇକନିକ୍ ଆଇଟି ପାର୍କ ପ୍ରତିଷ୍ଠାର ଯୋଜନା ରହିଛି। ପ୍ରସ୍ତାବିତ ପାର୍କରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରହିଛି। ଏଥିରୁ ୭୦ ପ୍ରତିଶତ ଅଞ୍ଚଳ ଆଇଟି କମ୍ପାନି ପାଇଁ ଏବଂ ଅବଶିଷ୍ଟ ଅଞ୍ଚଳ ଆବାସିକ ଓ ବାଣିଜ୍ୟିକ ବ୍ୟବହାର ପାଇଁ ରଖାଯିବ।
ସେହିପରି ଆଇଟି ନୀତି-୨୦୨୫ ଅଧୀନରେ ବିଭିନ୍ନ କ୍ଷେତ୍ରକୁ ନେଇ ୮ଟି ଥିମ୍ ଆଧାରିତ ଆଇଟି ପାର୍କ ବିକଶିତ କରିବାର ଯୋଜନା ହୋଇଛି। ଭୁବନେଶ୍ୱରରେ ଫିନଟେକ୍, କଟକରେ ଲିଗାଲ୍ ଟେକ୍ ଓ ଡାଟା ସେଣ୍ଟର, ରାଉରକେଲାରେ ସେମିକଣ୍ଡକ୍ଟର ଓ ଏଆଇ, ବ୍ରହ୍ମପୁରରେ ଇଏସ୍ଡିଏମ୍ ଓ ଆଇଟି ସେବା ଭଳି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ। ସମ୍ବଲପୁର-ଝାରସୁଗୁଡ଼ାରେ ଡିଜିଟାଲ୍ ଲଜିଷ୍ଟିକ୍ସ ଓ ଡାଟା ଆନାଲିସିସ, ବାଲେଶ୍ୱର-ଭଦ୍ରକରେ ଡିଫେନ୍ସ ଟେକ୍ନୋଲୋଜି, ଡ୍ରୋନ୍ ଓ ଇଏସ୍ଡିଏମ୍, ଯାଜପୁର-କଳିଙ୍ଗନଗରରେ ସ୍ମାର୍ଟ ମ୍ୟାନୁଫାକଚରିଂ ଏବଂ ପୁରୀ-କୋଣାର୍କରେ ଟୁରିଜମ୍ ଟେକ୍ନୋଲୋଜି ସହ ଏଆର୍/ଭିଆର୍କୁ ନେଇ ବିକାଶ ଯୋଜନା ରହିଛି।
