ଓଡ଼ିଶାର ପରବର୍ତ୍ତୀ ପୁଲିସ ଡିଜି ଚୟନ ପ୍ରକ୍ରିୟା ଏବେ ଆଇନଗତ ବିବାଦ ମଧ୍ୟରେ ପହଞ୍ଚିଛି। ଡିଜିପି ଚୟନ ସମ୍ପର୍କିତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ, କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଚୟନ କମିଟିର ବୈଠକ ନ କରିବାକୁ ୟୁପିଏସ୍ସି ପକ୍ଷରୁ ଜଣାଇଥିବା କୁହାଯାଇଛି। ଏହା ଫଳରେ ଡିଜିପି ଚୟନ ପ୍ରକ୍ରିୟା ଆହୁରି ବିଳମ୍ବିତ ହେବାର ଆଶଙ୍କା ଦେଖାଦେଇଛି।
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ। ଡିଜିପି ଚୟନରେ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଧାରଣ କରିଥିବା ନିୟମ ପାଳନ ହୋଇଛି କି ନାହିଁ, ଏହି ପ୍ରସଙ୍ଗ ମାମଲାର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରକାଶ ସିଂହ ମାମଲାରେ ଆମିକସ୍କ୍ୟୁରି ଭାବେ ଜଡ଼ିତ ବରିଷ୍ଠ ଆଇନଜୀବୀଙ୍କ ପକ୍ଷରୁ ଓଡ଼ିଶାର ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଯାଇଥିବା ଜଣାପଡ଼ିଛି। ତାଙ୍କ ମତରେ, ଚୟନ ପ୍ରକ୍ରିୟାରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶର ସଠିକ୍ ପାଳନ ହୋଇନାହିଁ। ଅନ୍ୟପଟେ, ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନିୟମିତତା ହୋଇନଥିବା ଯୁକ୍ତି ରଖାଯାଇଛି।ଏହି ବିବାଦ ମଧ୍ୟରେ ଡିଜିପି ପଦକୁ ନେଇ ଅନିଶ୍ଚିତତା ବଢ଼ିଛି। ବର୍ତ୍ତମାନର ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଅବସର ନେବାକୁ ଥିବାରୁ, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ସରକାର ଜଣେ କାମଚଳା ଡିଜି ନିଯୁକ୍ତ କରିପାରନ୍ତି। ଏହି ପଦ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନାମ ଚର୍ଚ୍ଚାରେ ଥିବା ସୂଚନା ମିଳିଛି।
ଡିଜିପି ଚୟନକୁ ନେଇ ଗତ କିଛି ଦିନ ଧରି ପ୍ରଶାସନିକ ମହଲରେ ମଧ୍ୟ ଚର୍ଚ୍ଚା ଜାରି ରହିଛି। ୟୁପିଏସ୍ସି ବୈଠକ ସ୍ଥଗିତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ଏବଂ ଚୟନ ପ୍ରକ୍ରିୟାରେ ଅଧିକାରୀଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠିଛି।ଏବେ ସମସ୍ତଙ୍କ ନଜର ଅଗଷ୍ଟ ୧୮ର ସୁପ୍ରିମକୋର୍ଟ ଶୁଣାଣି ଉପରେ। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ହିଁ ଡିଜିପି ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ତାହା ସ୍ପଷ୍ଟ ହେବ।
