Home Featuredବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ବାଲେଶ୍ୱର-ଭଦ୍ରକ-ଯାଜପୁର ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ବାଲେଶ୍ୱର-ଭଦ୍ରକ-ଯାଜପୁର ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ

by Lokanath Panigrahi
0 comments

ରାତିସାରା ଖୋଲା ରହିବ ଏସଆରସି କାର୍ଯ୍ୟାଳୟ; ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତରଣ ଜୋରଦାର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ ଜୁଲାଇ: ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସୋମବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ପରିସ୍ଥିତିର ସମୀକ୍ଷା କରାଯିବା ସହ ଜନଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ କହିଛନ୍ତି, ବନ୍ୟା ପରିସ୍ଥିତିରେ ଲୋକମାନେ ଭୟଭୀତ ନ ହୋଇ ପ୍ରଶାସନର ପରାମର୍ଶ ମାନି ସତର୍କ ରହନ୍ତୁ। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଜରୁରୀ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ବର୍ତ୍ତମାନ ଆନନ୍ଦପୁର ଓ ଆଖୁଆପଦା ଅଞ୍ଚଳରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସୀମା ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ଚିନ୍ତାଜନକ ରହିଛି। ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକ ଓ ଯାଜପୁରର ଅନେକ ଅଞ୍ଚଳ ବର୍ଷା ଏବଂ ବନ୍ୟା ପ୍ରଭାବରେ ରହିଛି। ଆସନ୍ତା ୧୨ ଘଣ୍ଟାକୁ ଗୁରୁତ୍ୱପୂର୍ଣ୍ଣ ମନେ କରି ରାତିସାରା ଏସଆରସି କାର୍ଯ୍ୟାଳୟ ଖୋଲା ରଖିବା ସହ ନଦୀ ଜଳସ୍ତର ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ସମସ୍ତ ଜିଲ୍ଲାପାଳ, ବିଡିଓ ଓ ସମ୍ପୃକ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି।

ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧାଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ପୋଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ପରିବାରଙ୍କ ବାସଗୃହ ଓ ସମ୍ପତ୍ତିର ସୁରକ୍ଷା ପାଇଁ ମଧ୍ୟ ପୋଲିସକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ, ପଶୁସମ୍ପଦ ଓ ଅନ୍ୟାନ୍ୟ ବିଭାଗକୁ ସଜାଗ ରଖାଯାଇଥିବା ବେଳେ ସର୍ପାଘାତ ମୁକାବିଲା ପାଇଁ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟି-ଭେନମ୍ ଇଞ୍ଜେକ୍ସନ ମହଜୁଦ ରହିଛି। ଗୃହପାଳିତ ପଶୁଙ୍କ ସୁରକ୍ଷା ଓ ଗୋଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବନ୍ୟା କ୍ଷତିଗ୍ରସ୍ତ ବାସଗୃହ ଓ ଚାଷଜମି ପାଇଁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ୨୪×୭ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ସହ ନିରନ୍ତର ସମନ୍ୱୟ ରଖାଯାଉଛି।

ବନ୍ୟା ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଭଦ୍ରକ ପାଇଁ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ପି. ଅନ୍ୱେଷା ରେଡ୍ଡୀଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଡିଜିପି ୱାଇ.ବି. ଖୁରାନିଆ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment