Home Featured୨୩ ବର୍ଷ ପରେ ବି ଅନିଶ୍ଚିତ ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ, ସମୟସୀମା କହିଲେନି କେନ୍ଦ୍ର

୨୩ ବର୍ଷ ପରେ ବି ଅନିଶ୍ଚିତ ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ, ସମୟସୀମା କହିଲେନି କେନ୍ଦ୍ର

by Lokanath Panigrahi
0 comments

ଭୁବନେଶ୍ୱର: ପ୍ରାୟ ୨୩ ବର୍ଷ ଧରି ନିର୍ମାଣାଧୀନ ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ବି ଅସ୍ପଷ୍ଟ। ରାଜ୍ୟସଭାରେ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ, ବନ ଅନୁମୋଦନ ଓ ବିଭିନ୍ନ ଆଇନଗତ ବାଧା ଯୋଗୁଁ ପ୍ରକଳ୍ପ କାମରେ ବିଳମ୍ବ ହେଉଛି। ତେଣୁ ପ୍ରକଳ୍ପ ଶେଷ ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସରକାର ପକ୍ଷରୁ ଦିଆଯାଇନାହିଁ।

୨୦୦୩–୦୪ ରେଳ ବଜେଟରେ ୧୫୦ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରେଳପଥ ପ୍ରକଳ୍ପକୁ ₹୭୨୭ କୋଟି ବ୍ୟୟରେ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ ପ୍ରକଳ୍ପର ଆନୁମାନିକ ବ୍ୟୟ ବୃଦ୍ଧି ପାଇ ₹୩,୩୯୦ କୋଟିରେ ପହଞ୍ଚିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ₹୧,୯୦୧ କୋଟି ଖର୍ଚ୍ଚ ହୋଇଥିବା ବେଳେ, ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ₹୯୫୦ କୋଟି ବଜେଟ ବ୍ୟବସ୍ଥା କରାଯାଇଛି।

ପ୍ରକଳ୍ପ ପାଇଁ ଆବଶ୍ୟକ ୮୬୩ ହେକ୍ଟର ଜମି ମଧ୍ୟରୁ ୭୫୬ ହେକ୍ଟର ଅଧିଗ୍ରହଣ ସରିଥିବା ବେଳେ, ଏବେ ବି ୧୦୭ ହେକ୍ଟର ଜମି ଅଧିଗ୍ରହଣ ବାକି ରହିଛି। ଏଥିରେ ୭୭ ହେକ୍ଟର ବେସରକାରୀ, ୫ ହେକ୍ଟର ବନ ଏବଂ ୨୪ ହେକ୍ଟର ସରକାରୀ ଜମି ରହିଛି।

ତାଳଚେରରୁ ଖମାର ପର୍ଯ୍ୟନ୍ତ ୪୮ କିଲୋମିଟର ରେଳପଥରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି। ଅନ୍ୟ ସେକ୍ସନଗୁଡ଼ିକରେ ଜମି ଅଧିଗ୍ରହଣ, ସେତୁ ଓ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ, ମହୁଲଡିହା–ବିମଳାଗଡ଼ ସେକ୍ସନରେ ବନ ଓ ବନ୍ୟଜନ୍ତୁ ସମ୍ବନ୍ଧୀୟ ଅନୁମୋଦନ ମିଳିବା ପରେ ଉପଲବ୍ଧ ଜମିରେ କାମ ଜାରି ରହିଛି।

ରେଳମନ୍ତ୍ରୀଙ୍କ କହିବା ଅନୁସାରେ, ଜମି ଅଧିଗ୍ରହଣ, ବନ ଅନୁମୋଦନ, ୟୁଟିଲିଟି ସ୍ଥାନାନ୍ତର, ଆଇନଗତ ଅନୁମତି, ଭୌଗୋଳିକ ପରିସ୍ଥିତି ଓ ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ ସମସ୍ୟା ପ୍ରକଳ୍ପର ଅଗ୍ରଗତିକୁ ପ୍ରଭାବିତ କରୁଛି। ଫଳରେ, ଦୀର୍ଘ ଦୁଇ ଦଶକ ଧରି ଅପେକ୍ଷାରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ କେବେ ବାସ୍ତବ ରୂପ ନେବ, ସେ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି।

You may also like

Leave a Comment