ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଓ କାନ୍ଥରେ କଳା ରଙ୍ଗରେ ସ୍ଲୋଗାନ ଲେଖାଯିବା ଘଟଣାରେ ପୁଲିସ ୬ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି।
ସୋମବାର ବିଜୟ ନଗର ଅଞ୍ଚଳରେ ଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବାସଭବନ ନିକଟରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଥିଲେ। ଅଭିଯୋଗ ଅନୁସାରେ, ପ୍ରତିବାଦ ସମୟରେ ବାସଭବନର ମୁଖ୍ୟ ଫାଟକ ଓ କାନ୍ଥରେ କଳା ରଙ୍ଗରେ ସ୍ଲୋଗାନ ଲେଖାଯାଇଥିଲା।
ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ୬ ଜଣ କଂଗ୍ରେସ କର୍ମୀ—ଅନିଲ ଯାଦବ, ମୁକେଶ ଧଙ୍ଗର, ମନୋଜ ଗୌର, ରାଜେଶ କୁମାର, ରାଜା ଗୌତମ ଏବଂ ପଙ୍କଜ ଚୌଧୁରୀଙ୍କୁ ଗିରଫ କରିଛି। ବୁଧବାର ସେମାନଙ୍କୁ ଜେଲକୁ ପଠାଯାଇଥିବା ସୂଚନା ମିଳିଛି।
ସବ୍-ଇନ୍ସପେକ୍ଟର ଗୌରବ ଗୁପ୍ତାଙ୍କ ଲିଖିତ ଅଭିଯୋଗ ଆଧାରରେ ହରିପର୍ବତ ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ୮ ଜଣଙ୍କ ନାମ ଉଲ୍ଲେଖ ରହିଥିବାବେଳେ ଆହୁରି ୧୫ରୁ ୨୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ପୁଲିସ ପକ୍ଷରୁ ହତ୍ୟା ଉଦ୍ୟମ, ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ସଂଘବଦ୍ଧ ହିଂସା ଏବଂ ବେଆଇନ ଅନୁପ୍ରବେଶ ସମେତ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିବା କୁହାଯାଇଛି।
ଅନ୍ୟପଟେ, ପୁଲିସର କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ନଗର ସଭାପତି ଅମିତ ସିଂହଙ୍କ ଅଭିଯୋଗ, ପ୍ରତିବାଦ ସହ ସମ୍ପୃକ୍ତ ସାଧାରଣ ଧାରା ପରିବର୍ତ୍ତେ କର୍ମୀମାନଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଧାରା ଲଗାଯାଇଛି। ଏହି ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବା ଦାବିରେ କଂଗ୍ରେସର ଏକ ପ୍ରତିନିଧି ଦଳ ପୁଲିସ କମିଶନରଙ୍କୁ ଭେଟିବ ବୋଲି ସେ କହିଛନ୍ତି।
ଘଟଣାଟି କଂଗ୍ରେସର ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମର ଏକ ଅଂଶ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମାମଲାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି।
