୨୦୦୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ଆର୍. ସନ୍ଥଗୋପାଳନ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ସହ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲେ।
ସୂଚନା ଅନୁସାରେ, ସେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ନିଜ ଇସ୍ତଫାପତ୍ର ଦାଖଲ କରିଛନ୍ତି। ପରେ ସେ ଆଇଏଏସ୍ ଅଧିକାରୀଙ୍କ ବିଭିନ୍ନ ହ୍ବାଟସ୍ଆପ୍ ଗ୍ରୁପ୍ରୁ ମଧ୍ୟ ନିଜକୁ ହଟାଇଥିବା ଜଣାପଡ଼ିଛି। ତେବେ ସନ୍ଥଗୋପାଳନ କାହିଁକି ଇସ୍ତଫା ଦେଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ତାଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
ତାମିଲନାଡ଼ୁର ମୂଳ ବାସିନ୍ଦା ସନ୍ଥଗୋପାଳନ ଓଡ଼ିଶା କ୍ୟାଡର୍ର ଅଧିକାରୀ। ନିୟମିତ ଅବସର ପୂର୍ବରୁ ତାଙ୍କ ପାଖରେ ଆହୁରି କିଛି ସମୟ ଚାକିରି ରହିଥିବା ବେଳେ ତାଙ୍କର ହଠାତ୍ ଇସ୍ତଫା ପ୍ରଶାସନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ନିର୍ବାଚନ ପ୍ରକ୍ରିୟାକୁ ନେଇ ରାଜ୍ୟରେ ଆଲୋଚନା ଜାରି ଥିବା ସମୟରେ ତାଙ୍କ ଇସ୍ତଫା ସାମ୍ନାକୁ ଆସିବାରୁ ଘଟଣାଟି ଅଧିକ ଚର୍ଚ୍ଚିତ ହୋଇଛି।
