Home Featuredଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀକୁ ଓଡ଼ିଶାବାସୀ ସହ୍ୟ କରିବେ ନାହିଁ : ଡ. ଯତୀନ ମହାନ୍ତି

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀକୁ ଓଡ଼ିଶାବାସୀ ସହ୍ୟ କରିବେ ନାହିଁ : ଡ. ଯତୀନ ମହାନ୍ତି

by Lokanath Panigrahi
0 comments
  • ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିବା ସୁନୀଲ ଜେନାଙ୍କ ବିରୋଧରେ ସାଇବର ଥାନାରେ ଏତଲା।
  • ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି।
  • ସାମ୍ବାଦିକତାର ମୂଲ୍ୟବୋଧକୁ କ୍ଷୁଣ୍ଣ କରି ସମାଜରେ ଅପ୍ରୀତିକର ପରିବେଶ ସୃଷ୍ଟି କରାଯାଉଥିବା ଅଭିଯୋଗ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିବେ ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ. ମହାନ୍ତି କହିଛନ୍ତି ଯେ, ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ସୁନୀଲ ଜେନା ନାମକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଭାଷା ଓ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରୁଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ପୋଷ୍ଟଗୁଡ଼ିକରେ ଅଶୋଭନୀୟ ଶବ୍ଦ ପ୍ରୟୋଗ ସହ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଛି, ଯାହା ଆଇନଗତ ଦୃଷ୍ଟିରୁ ଦଣ୍ଡନୀୟ ହୋଇପାରେ।

ଡ. ମହାନ୍ତି କହିଛନ୍ତି ଯେ, ସାମ୍ବାଦିକତାର ମୂଲ୍ୟବୋଧ ଓ ଦାୟିତ୍ୱବୋଧକୁ ଅବମାନନା କରି ଏଭଳି ପୋଷ୍ଟ କରିବା ଦ୍ୱାରା ସମାଜରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଛି। ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ଦାୟିତ୍ୱଶୀଳ ବ୍ୟବହାର ଆବଶ୍ୟକ ଥିବାବେଳେ ଏଭଳି କାର୍ଯ୍ୟ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସାଇବର ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ସାମ୍ବାଦିକ ପରିଚୟ ଦେଇ ସାମ୍ବାଦିକତା ପେଶାର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।

ଏ ସମ୍ପର୍କରେ ଆଜି ଭୁବନେଶ୍ୱର ସାଇବର ଥାନାରେ ବିଜେପି ପକ୍ଷରୁ ସୁନୀଲ ଜେନାଙ୍କ ବିରୋଧରେ ଏକ ଏତଲା ଦାଖଲ କରାଯାଇଛି। ଏତଲା ଆଧାରରେ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ପ୍ରତିନିଧିମଣ୍ଡଳୀକୁ ଆଶ୍ୱାସନ ଦେଇଥିବା ସୂଚନା ଡ. ମହାନ୍ତି ଦେଇଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଶ୍ରୀ ଜୟନ୍ତ ଜେନା, ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ସୁଶାନ୍ତ ଜେନାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

You may also like

Leave a Comment