Home Featuredକଳାହାଣ୍ଡିର ରତ୍ନପଥର ଖଣିରେ ମାଫିଆଙ୍କ ନଜର, ବେଆଇନ ଖନନ ଅଭିଯୋଗ

କଳାହାଣ୍ଡିର ରତ୍ନପଥର ଖଣିରେ ମାଫିଆଙ୍କ ନଜର, ବେଆଇନ ଖନନ ଅଭିଯୋଗ

by Sunita Jena
0 comments

କଳାହାଣ୍ଡି ଜିଲ୍ଲାର ମାଟି ତଳେ ରହିଛି ମୂଲ୍ୟବାନ ରତ୍ନପଥରର ଭଣ୍ଡାର। ହେଲେ ଏହି ଖଣିଜ ସମ୍ପଦ ଅଞ୍ଚଳବାସୀଙ୍କ ପାଇଁ ରୋଜଗାରର ବାଟ ଖୋଲିବା ବଦଳରେ ଏବେ ବିବାଦ ଓ ବେଆଇନ ଖନନ ଅଭିଯୋଗର କାରଣ ପାଲଟିଛି। ଜୁନାଗଡ଼ ଅଞ୍ଚଳର ହିଞ୍ଜିଲିବାହାଲି ଓ ଜିଲିଙ୍ଗଦରରେ ରତ୍ନପଥର ମିଳୁଥିବା ନେଇ ପୂର୍ବରୁ ସରକାରୀ ସ୍ତରରେ ସୂଚନା ଦିଆଯାଇଥିଲା।ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖଣି ଖନନ ଓ ରତ୍ନପଥର ପ୍ରକ୍ରିୟାକରଣକୁ ନେଇ ଆଶା ବଢ଼ିଥିଲା। ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟି ସହ ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ବର୍ତ୍ତମାନ ଖଣି ଖନନ କାର୍ଯ୍ୟ ବନ୍ଦ ଥିବାରୁ ସେହି ଆଶା ଅନିଶ୍ଚିତତାରେ ପଡ଼ିଛି।

ସୂଚନା ଅନୁସାରେ, ପୂର୍ବରୁ ଓଡ଼ିଶା ମାଇନିଂ କର୍ପୋରେସନ୍‌ ଏହି ଅଞ୍ଚଳରେ ଖନନ କାର୍ଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଏକ ସଂସ୍ଥାକୁ ଖନନ ଦାୟିତ୍ୱ ଦିଆଯାଇଥିଲା। ଏବେ ଖନନ ବନ୍ଦ ରହିଥିବାବେଳେ ଖଣି ଅଞ୍ଚଳର ସୁରକ୍ଷା ଓ ନିରୀକ୍ଷଣକୁ ନେଇ ପ୍ରଶ୍ନ ଉଠୁଛି।ବିଶେଷକରି ଜିଲିଙ୍ଗଦର ଅଞ୍ଚଳରେ ଖଣି ଅଞ୍ଚଳ ଖୋଲା ରହିଥିବାରୁ ସେଠାରେ ଅନଧିକୃତ ଭାବେ ରତ୍ନପଥର ଖନନ ହେଉଥିବା ଅଭିଯୋଗ ଆସିଛି। ସ୍ଥାନୀୟ ଭାବେ ଏକାଧିକ ଶ୍ରମିକ ଦଳ ଏଥିରେ ନିୟୋଜିତ ହେଉଥିବା ନେଇ ଚର୍ଚ୍ଚା ହେଉଛି। ବର୍ଷା ଋତୁରେ ପୁରୁଣା ଖାଦାନରେ ପାଣି ଜମି ରହୁଥିବାରୁ ଖାଦାନ ପାଖପାଖି ଅଞ୍ଚଳରେ ଖନନ କରାଯାଉଥିବା ଅଭିଯୋଗ ମଧ୍ୟ ରହିଛି।

ଏହି କାର୍ଯ୍ୟକଳାପ ସମ୍ପର୍କରେ ପୁଲିସ ଓ ଖଣି ବିଭାଗ ନିକଟରେ ଖବର ପହଞ୍ଚିଥିବା ଦାବି କରାଯାଉଛି। ତେବେ ଦୁର୍ଗମ ଅଞ୍ଚଳ ଓ ରାତି ସମୟରେ ନିରୀକ୍ଷଣର ଅଭାବ ଯୋଗୁଁ ବେଆଇନ ଖନନକୁ ରୋକିବା ଚ୍ୟାଲେଞ୍ଜ ହୋଇଥିବା କୁହାଯାଉଛି।ସ୍ଥାନୀୟ ଅଞ୍ଚଳରୁ ସଂଗୃହୀତ ମୂଲ୍ୟବାନ ରତ୍ନପଥର ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହା ଫଳରେ ସରକାରୀ ରାଜସ୍ୱ ହାନି ସହ ଅଞ୍ଚଳର ଖଣିଜ ସମ୍ପଦର ଅନିୟନ୍ତ୍ରିତ ବ୍ୟବହାର ନେଇ ଚିନ୍ତା ବଢ଼ିଛି।

ରତ୍ନପଥର ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସୁରକ୍ଷା, ବେଆଇନ ଖନନ ରୋକିବା ଓ ସ୍ଥାନୀୟ ଲୋକଙ୍କୁ ଏହାରୁ ରୋଜଗାର ସୁଯୋଗ ଦେବା ପାଇଁ ପ୍ରଭାବୀ ପଦକ୍ଷେପ ନେବାକୁ ଦାବି ହେଉଛି। ଏଥିପାଇଁ ସ୍ୱତନ୍ତ୍ର ନିରୀକ୍ଷଣ ଦଳ ଗଠନ କରି ନିୟମିତ ଚଢ଼ାଉ ଓ ଯାଞ୍ଚ କରିବାକୁ ମଧ୍ୟ ଦାବି ଉଠିଛି।

You may also like

Leave a Comment