Home Featuredବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ହୀରାକୁଦର ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ, ଭଦ୍ରକରେ ଆଜି ସ୍କୁଲ ଛୁଟି

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ହୀରାକୁଦର ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ, ଭଦ୍ରକରେ ଆଜି ସ୍କୁଲ ଛୁଟି

by Lokanath Panigrahi
0 comments

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବାବେଳେ ସୁନ୍ଦରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି।

ଲଗାଣ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ସମେତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୨୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବହୁ ସ୍ଥାନରେ ନଦୀର ଜଳ ବିପଦ ସଙ୍କେତ ନିକଟରେ ପହଞ୍ଚିଥିବାବେଳେ କେତେକ ଅଞ୍ଚଳରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଏହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ କେତେକ ସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ସୂଚନା ମିଳିଛି।

ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପ୍ରଶାସନକୁ ଉଦ୍ଧାର, ରିଲିଫ ଓ ପୁନର୍ବାସ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାପୀଡ଼ିତଙ୍କୁ ଖାଦ୍ୟ, ପାନୀୟଜଳ, ସ୍ୱାସ୍ଥ୍ୟସେବା ଓ ଆଶ୍ରୟ ଯୋଗାଇବାକୁ ସମସ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଛୁଟି ଘୋଷଣା କରାଯାଇଛି। ଏହାଛଡ଼ା ପୂର୍ବରୁ ମୟୂରଭଞ୍ଜ, ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା। ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

You may also like

Leave a Comment