ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ରାଜ୍ୟର ପାରମ୍ପରିକ ହସ୍ତତନ୍ତ କଳା ଓ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ବୁଣାକାର ସମୁଦାୟର ଜୀବିକାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ରାଜ୍ୟର ହସ୍ତତନ୍ତ କ୍ଷେତ୍ରର ବିକାଶ, ନୂତନ ଡିଜାଇନ୍, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଓ ଉତ୍ପାଦନକୁ ଅଧିକ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ପାରମ୍ପରିକ ବସ୍ତ୍ର କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ପରିଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ, ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ, ମାଷ୍ଟର ବୁଣାକାର, ଡିଜାଇନର, ପୁରସ୍କାରପ୍ରାପ୍ତ ବ୍ୟକ୍ତି, ବୁଣାକାର ସମବାୟ ସମିତିର ପ୍ରତିନିଧି ଓ ବୟନ ଶିଳ୍ପ ସହ ଜଡ଼ିତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ଓଡ଼ିଶାର ବୁଣାକାରମାନଙ୍କ ପାରମ୍ପରିକ କୌଶଳ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ କାରିଗରମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
