ପ୍ୟାରିସ୍ ଫ୍ୟାଶନ୍ ୱିକ୍ରେ ନିଜ ଷ୍ଟାଇଲ୍ରେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେପ୍ଟେମ୍ବର ୨୮ରେ ଆୟୋଜିତ ଲୋରିଆଲ୍ ପ୍ୟାରିସ୍ର ‘ଲେ ଡେଫିଲ୍’ ଫ୍ୟାଶନ୍ ଶୋ’ରେ ସେ ଗ୍ଲୋବାଲ୍ ଆମ୍ବାସାଡର୍ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଐଶ୍ୱର୍ଯ୍ୟା କଳା ରଙ୍ଗର ଭେଲଭେଟ୍ ଗାଉନ୍ରେ ନଜର ଆସିଥିଲେ। ତାଙ୍କ ହେୟାର୍ଷ୍ଟାଇଲ୍, ଟିଆରା, ମେକଅପ୍ ଏବଂ ରେଡ୍ ଲିପ୍ଷ୍ଟିକ୍ ତାଙ୍କ ଲୁକ୍କୁ ଅଲଗା ଆକର୍ଷଣ ଦେଇଥିଲା। ଶୋ’ର ଥିମ୍ ‘ୱାକ୍ ୟୋର୍ ୱର୍ଥ’ ଥିବା ବେଳେ ଏଥିରେ ଆତ୍ମବିଶ୍ୱାସ, ବିବିଧତା ଓ ମହିଳାଙ୍କ ଏକତାକୁ ପ୍ରାଧାନ୍ୟ ଦିଆଯାଇଥିଲା।
ଆଇଫେଲ୍ ଟାୱାର୍ ନିକଟସ୍ଥ ପ୍ଲେସ୍ ଜୋଫ୍ରେରେ ହୋଇଥିବା ଏହି ଆୟୋଜନରେ ଐଶ୍ୱର୍ଯ୍ୟାଙ୍କ ସହ କେଣ୍ଡଲ୍ ଜେନର୍ ଓ ଇଭା ଲଙ୍ଗୋରିଆଙ୍କ ଭଳି ଅନ୍ତର୍ଜାତୀୟ ଚେହେରା ମଧ୍ୟ ରାମ୍ପରେ ନଜର ଆସିଥିଲେ।
ତେବେ ଶୋ’ର ଏକ ଆକର୍ଷଣୀୟ ମୁହୂର୍ତ୍ତ ଥିଲା ଐଶ୍ୱର୍ଯ୍ୟା ଓ ସେଲିନ୍ ଡିଅନ୍ଙ୍କ ସାକ୍ଷାତ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବା ସହ ଷ୍ଟେଜ୍ରେ ମଜାଦାର ମୁହୂର୍ତ୍ତ ବିତାଇଥିଲେ। ଏହାର ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି। ଏହି ଷ୍ଟାର୍ଷ୍ଟଡେଡ୍ ଫ୍ୟାଶନ୍ ଇଭେଣ୍ଟରେ ସିମୋନ୍ ଆଶ୍ଲି, ଭାଓଲା ଡେଭିସ୍ ଓ ଜେନ୍ ଫୋଣ୍ଡାଙ୍କ ଭଳି ଅନେକ ଅନ୍ତର୍ଜାତୀୟ ତାରକା ମଧ୍ୟ ଯୋଗ ଦେଇଥିଲେ। ଫ୍ୟାଶନ୍ ଶୋ’ର ଗୋଟିଏ ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ପ୍ୟାରିସ୍ରେ ଦେଖାଯାଇଥିଲେ।
