ଏହି ଫେଷ୍ଟିଭ୍ ୱିକେଣ୍ଡ୍ରେ ଘରେ ବସି ନୂଆ ଫିଲ୍ମ ଓ ୱେବ୍ ସିରିଜ୍ ଦେଖିବାକୁ ଯୋଜନା କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଭଲ ଖବର। ଅକ୍ଟୋବର ୯, ଶୁକ୍ରବାର ଦିନ ବିଭିନ୍ନ OTT ପ୍ଲାଟଫର୍ମରେ ଥ୍ରିଲର୍, କ୍ରାଇମ୍ ଷ୍ଟୋରି ଏବଂ ଡ୍ରାମାରେ ଭରପୂର ଅନେକ ଫିଲ୍ମ ଓ ସିରିଜ୍ ରିଲିଜ୍ ହୋଇଛି। ରୋମାନ୍ସଠାରୁ ଆରମ୍ଭ କରି ରହସ୍ୟ ଓ ଅପରାଧର କାହାଣୀ ପର୍ଯ୍ୟନ୍ତ, ଏହି ୱିକେଣ୍ଡ୍ରେ ଦର୍ଶକଙ୍କ ପାଇଁ ରହିଛି ଅନେକ ବିକଳ୍ପ।
୧. ଆୱାରାପନ୍ ୨
ଇମ୍ରାନ୍ ହାଶମୀଙ୍କ ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମା ଫିଲ୍ମ ‘ଆୱାରାପନ୍ ୨’ ଅକ୍ଟୋବର ୯ରୁ ଆମାଜନ୍ ପ୍ରାଇମ୍ ଭିଡିଓରେ ଉପଲବ୍ଧ ହୋଇଛି। ନିତିନ କକ୍କଡ଼ଙ୍କ ନିର୍ଦ୍ଦେଶନା ଏବଂ ବିଶେଷ ଭଟ୍ଟଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ୨୦୦୭ରେ ରିଲିଜ୍ ହୋଇଥିବା ‘ଆୱାରାପନ୍’ର ସିକ୍ୱେଲ୍।
ଫିଲ୍ମରେ ଶିବମ ପଣ୍ଡିତଙ୍କ କାହାଣୀ ଦେଖିବାକୁ ମିଳିବ। ଏଥିରେ ଦିଶା ପଟାନୀ, ଶବାନା ଆଜମୀ, ପୂରନ ଗବ୍ବୀ, ବିଜୟନ୍ତ କୋହଲି ଏବଂ ସୁବିନ୍ଦର ବିକ୍କିଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି।
୨. ରିପୋର୍ଟିଂ ଲାଇଭ୍
କ୍ରାଇମ୍ ଥ୍ରିଲର୍ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ‘ରିପୋର୍ଟିଂ ଲାଇଭ୍’ ଏକ ଆକର୍ଷଣୀୟ ବିକଳ୍ପ। ଏହି ଇନଭେଷ୍ଟିଗେଟିଭ୍ କ୍ରାଇମ୍ ଥ୍ରିଲର୍ରେ ପରିଣୀତି ଚୋପ୍ରା ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିଛନ୍ତି। ଦେବେନ ଭୋଜାନୀ ତାଙ୍କ କ୍ୟାମେରାମ୍ୟାନ୍ ଭୂମିକାରେ ଅଭିନୟ କରିଛନ୍ତି।
ଏହି ଦୁଇ ଚରିତ୍ର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚଳାଉଥିବା ବେଆଇନ ବାଲି ଖନନ ଓ ଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିବାକୁ ଉଦ୍ୟମ କରୁଛନ୍ତି। ଏହି ସିରିଜ୍ ଅକ୍ଟୋବର ୯ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି।
୩. ପ୍ରଧାମ ଦୃଷ୍ଟ୍ୟା କୁଟ୍ଟକ୍କର୍
ମାଲାୟାଲମ୍ ଭାଷାର ଇନଭେଷ୍ଟିଗେଟିଭ୍ ଥ୍ରିଲର୍ ‘ପ୍ରଧାମ ଦୃଷ୍ଟ୍ୟା କୁଟ୍ଟକ୍କର୍’ ମଧ୍ୟ ଅକ୍ଟୋବର ୯ରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇଛି। ଶାହଦ ନୀଲାମ୍ବୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପାର୍ବତୀ ଥିରୁଭୋଥୁ, ମାଥ୍ୟୁ ଥୋମାସ୍, ବିଜୟରାଘବନ୍, ବିନୟ ଫୋର୍ଟ ଏବଂ ସିଦ୍ଧାର୍ଥ ଭରତନ୍ ପ୍ରମୁଖ ଭୂମିକାରେ ଅଛନ୍ତି।
ଏହି ଫିଲ୍ମକୁ ମାଲାୟାଲମ୍ ସହ ତାମିଲ୍, ତେଲୁଗୁ, କନ୍ନଡ଼ ଏବଂ ହିନ୍ଦୀ ଭାଷାରେ ଦେଖିହେବ।
୪. ଖଲିଫା: ଦି ରୁଲର୍
ପୃଥ୍ୱୀରାଜ ସୁକୁମାରନ୍, ନୀଲ ନିତିନ ମୁକେଶ ଏବଂ ମୋହନଲାଲଙ୍କ ଅଭିନୀତ ମାଲାୟାଲମ୍ ଆକ୍ସନ୍ ଡ୍ରାମା ‘ଖଲିଫା: ଦି ରୁଲର୍’ ବିଭିନ୍ନ OTT ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବ୍ୟାସାଖ।
କାହାଣୀର ମୁଖ୍ୟ ଚରିତ୍ର ଆମିର ଅଲୀ କୋଝିକୋଡ଼ର ଜଣେ ସାଧାରଣ ଟେକ୍ସଟାଇଲ୍ ଦୋକାନ ମାଲିକ। କିନ୍ତୁ ପରିସ୍ଥିତି ତାଙ୍କୁ ଆନ୍ତର୍ଜାତୀୟ ସୁନା ଚାଲାଣ ଏବଂ ଅପରାଧ ଦୁନିଆ ଭିତରକୁ ଟାଣି ନିଏ। ଫିଲ୍ମଟି ପ୍ରାଇମ୍ ଭିଡିଓ, ଲାୟନ୍ସଗେଟ୍ ପ୍ଲେ, ମନୋରମା ମ୍ୟାକ୍ସ, ସିମ୍ପଲି ସାଉଥ୍, ଆହା ଏବଂ ଷ୍ଟାର୍ଜପ୍ଲେ ଭଳି ପ୍ଲାଟଫର୍ମରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।
୫. ଆଇଜ୍ (Eyes)
‘ଆଇଜ୍’ ଏକ ମାଲାୟାଲମ୍ କ୍ରାଇମ୍ ଡ୍ରାମା। ଏଥିରେ କନି କୁସରୁତି ପୁଲିସ ଅଧିକାରୀ ଟିନା ସେବାଷ୍ଟିଆନ୍ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କୁ ପିଛା କରିବା ବା ଷ୍ଟକିଂ ସମ୍ପର୍କିତ ଅନେକ ଚିନ୍ତାଜନକ ମାମଲାର ତଦନ୍ତ ଦାୟିତ୍ୱ ମିଳୁଛି। ଏହି ମାମଲାଗୁଡ଼ିକର ତଦନ୍ତ ସମୟରେ କାହାଣୀ ଆଗକୁ ବଢ଼ୁଛି।
ଏହି ସିରିଜ୍ ଅକ୍ଟୋବର ୯ରୁ ସୋନିଲିଭ୍ରେ ଷ୍ଟ୍ରିମିଂ ହେଉଛି।
୬. ଆନିମଲ୍ସ (Animals)
ବେନ୍ ଆଫ୍ଲେକ୍ଙ୍କ ଅଭିନୀତ ଏବଂ ନିର୍ଦ୍ଦେଶିତ କ୍ରାଇମ୍ ଥ୍ରିଲର୍ ଫିଲ୍ମ ‘ଆନିମଲ୍ସ’ ନେଟଫ୍ଲିକ୍ସରେ ଉପଲବ୍ଧ ହୋଇଛି।
ଫିଲ୍ମର କାହାଣୀ ଜଣେ ମେୟର ପ୍ରାର୍ଥୀ ଏବଂ ତାଙ୍କ ପତ୍ନୀଙ୍କୁ ନେଇ ଗତିଶୀଳ। ଟଙ୍କା ପାଇଁ ସେମାନଙ୍କ ପୁଅକୁ ଅପହରଣ କରାଯିବା ପରେ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସେ। ପୁଅକୁ ଉଦ୍ଧାର କରିବା ଏବଂ ଅପହରଣକାରୀଙ୍କ ଦାବିର ମୁକାବିଲା କାହାଣୀର ମୁଖ୍ୟ ଅଂଶ।
୭. ଟେକ୍ ଚାର୍ଜ ଅଫ୍ ମାଇ ହାର୍ଟ
ରୋମାଣ୍ଟିକ୍ କୋରିଆନ୍ ସିରିଜ୍ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ‘ଟେକ୍ ଚାର୍ଜ ଅଫ୍ ମାଇ ହାର୍ଟ’ ଏକ ନୂଆ ବିକଳ୍ପ। କିମ୍ ୟଙ୍ଗ୍-କ୍ୱାଙ୍ଗ୍ ଏବଂ ଚେ ସୁ-ବିନ୍ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି।
ଏହି ସିରିଜ୍ରେ ଦୁଇ ମୁଖ୍ୟ ଚରିତ୍ରଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ସମସ୍ୟା, ସେମାନଙ୍କ ସମ୍ପର୍କରେ ଆସୁଥିବା ପରିବର୍ତ୍ତନ ଏବଂ ପରସ୍ପରକୁ ବୁଝିବାର କାହାଣୀ ଦେଖିବାକୁ ମିଳିବ। ଏହା ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି।
୮. ହଣ୍ଟେଡ୍ ହୋଟେଲ୍ ସିଜନ୍ ୨
‘ହଣ୍ଟେଡ୍ ହୋଟେଲ୍’ର ଦ୍ୱିତୀୟ ସିଜନ୍ରେ କ୍ୟାଥରିନ୍ ଏବଂ ତାଙ୍କ ପରିବାର ପୁଣିଥରେ ଅଲୌକିକ ଘଟଣାର ସାମ୍ନା କରୁଛନ୍ତି। ହୋଟେଲ୍କୁ ନୂଆ ଭୂତିଆ ଅତିଥି ଏବଂ ନୂଆ କର୍ମଚାରୀ ଆସିବା ପରେ ଅଜବ ଓ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି।
ଏହି ସିଜନ୍ଟି ଅକ୍ଟୋବର ୯ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି।
ଏହି ୱିକେଣ୍ଡ୍ରେ କ’ଣ ଦେଖିବେ?
ଯଦି ଆପଣ ଆକ୍ସନ୍ ଓ ରୋମାନ୍ସ ପସନ୍ଦ କରନ୍ତି, ତେବେ ‘ଆୱାରାପନ୍ ୨’ ଦେଖିପାରିବେ। କ୍ରାଇମ୍ ଓ ତଦନ୍ତଭିତ୍ତିକ କାହାଣୀ ପାଇଁ ‘ରିପୋର୍ଟିଂ ଲାଇଭ୍’, ‘ପ୍ରଧାମ ଦୃଷ୍ଟ୍ୟା କୁଟ୍ଟକ୍କର୍’ ଏବଂ ‘ଆଇଜ୍’ ବିକଳ୍ପ ହୋଇପାରେ। ଅନ୍ୟପଟେ, ଆକ୍ସନ୍ ଡ୍ରାମା ପାଇଁ ‘ଖଲିଫା: ଦି ରୁଲର୍’ ଏବଂ ହାଲୁକା ରୋମାନ୍ସ ପାଇଁ ‘ଟେକ୍ ଚାର୍ଜ ଅଫ୍ ମାଇ ହାର୍ଟ’ ଦେଖିପାରିବେ।
ନିଜ ପସନ୍ଦର ଭାଷା ଓ OTT ପ୍ଲାଟଫର୍ମ ଅନୁଯାୟୀ ଫିଲ୍ମ କିମ୍ବା ସିରିଜ୍ ବାଛି ଏହି ୱିକେଣ୍ଡ୍କୁ ମନୋରଞ୍ଜନମୟ କରିପାରିବେ।
