Home » Blog » ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ: ବିଜେପିର ଶକ୍ତି ପ୍ରଦର୍ଶନ

ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ: ବିଜେପିର ଶକ୍ତି ପ୍ରଦର୍ଶନ

by Sunita Jena
0 comments

ଉତ୍ତରପ୍ରଦେଶରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାରାରେ ଆରମ୍ଭ ହୋଇଛି ଦଳର ବଡ଼ ପଦଯାତ୍ରା ଅଭିଯାନ। ବରେଲିରୁ ଲକ୍ଷ୍ନୌ, ସବୁଠି ଦେଖିବାକୁ ମିଳିଛି ବିଜେପିର ରାଜନୈତିକ ସକ୍ରିୟତା। ଆଗକୁ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏହି ଅଭିଯାନକୁ ନେଇ ବଢ଼ିଛି ରାଜନୈତିକ ଚର୍ଚ୍ଚା।

ନଭେମ୍ବର ୩ରୁ ଉତ୍ତରପ୍ରଦେଶରେ ତିନିଦିନିଆ ପଦଯାତ୍ରା ଅଭିଯାନ ଆରମ୍ଭ କରିଛି ବିଜେପି। ଏହାର ପ୍ରଥମ ଦିନରେ ବରେଲି ଓ ଲକ୍ଷ୍ନୌରେ ଆୟୋଜିତ ହୋଇଛି ବଡ଼ କାର୍ଯ୍ୟକ୍ରମ।

ବରେଲିରେ ବ୍ରଜ ଅଞ୍ଚଳର ପଦଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ହଜାର ଦଳୀୟ କର୍ମୀ ଓ ଜନପ୍ରତିନିଧିଙ୍କ ଯୋଗଦାନକୁ ନେଇ ଆକଳନ କରାଯାଇଥିଲା। ପଦଯାତ୍ରା ଜରିଆରେ ଲୋକଙ୍କ ନିକଟରେ ଦଳର ମତ ରଖିବା ସହ ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଉଦ୍ୟମ କରିଛି ବିଜେପି।

ସେହିପରି ଲକ୍ଷ୍ନୌରେ ଅବଧ ଅଞ୍ଚଳର ପଦଯାତ୍ରାରେ ନେତୃତ୍ୱ ନେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଲୋକଭବନରୁ ପରିବର୍ତ୍ତନ ଚୌକ୍ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସମେତ ଅନେକ ନେତା ଯୋଗ ଦେଇଛନ୍ତି।

ଏହି ଅଭିଯାନ କେବଳ ବରେଲି ଓ ଲକ୍ଷ୍ନୌରେ ସୀମିତ ରହିବ ନାହିଁ। ନଭେମ୍ବର ୪ରେ ଗୋରଖପୁର, ପ୍ରୟାଗରାଜ ଓ କାନପୁରରେ ପଦଯାତ୍ରା ହେବ। ଗୋରଖପୁରରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, ପ୍ରୟାଗରାଜରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କାନପୁରରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସାମିଲ ହେବେ।

ସେହିପରି ନଭେମ୍ବର ୫ରେ ଗାଜିଆବାଦରେ ପଶ୍ଚିମ ଉତ୍ତରପ୍ରଦେଶର ପଦଯାତ୍ରା ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେତୃତ୍ୱ ନେବେ।

କାହିଁକି ଏହି ଅଭିଯାନ?

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେବା ସହ ଗଣତାନ୍ତ୍ରିକ ଅନୁଷ୍ଠାନକୁ ନେଇ ନିଜର ପକ୍ଷ ରଖିବାକୁ ଏହି ପଦଯାତ୍ରା ମାଧ୍ୟମରେ ଉଦ୍ୟମ କରୁଛି ବିଜେପି।

ଅନ୍ୟପଟେ ୨୦୨୭ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସକ୍ରିୟ କରିବା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ି ହେବା ମଧ୍ୟ ଏହି ଅଭିଯାନର ଏକ ଲକ୍ଷ୍ୟ।

ତେବେ ବିଜେପିର ଏହି ତିନିଦିନିଆ ପଦଯାତ୍ରା ଉତ୍ତରପ୍ରଦେଶର ରାଜନୈତିକ ମାହୋଲକୁ କେତେ ପ୍ରଭାବିତ କରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

You may also like

Leave a Comment