କୋଟିଆରେ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଉତ୍ତେଜନା। ସୀମାନ୍ତ ଅଞ୍ଚଳରେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ଦେଖିବାକୁ ମିଳିଛି ମୁହାଁମୁହିଁ ସ୍ଥିତି। ଆନ୍ଧ୍ର ପୋଲିସ କୋଟିଆ ଅଞ୍ଚଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଓଡ଼ିଶା ପୋଲିସ ଏହାକୁ ଅଟକାଇବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ନେରେଡିବାଲସା ଚେକ୍ ପୋଷ୍ଟରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ କଥା କଟାକଟି ହେବା ସହ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏପରିକି କୋରାପୁଟ ଉପଜିଲ୍ଲାପାଳ ଏବଂ ପଟାଙ୍ଗୀ ତହସିଲଦାରଙ୍କ ସହ ମଧ୍ୟ ଆନ୍ଧ୍ର ପୋଲିସର ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଗତକାଲି ଆନ୍ଧ୍ରରୁ ଆସୁଥିବା ରାସନ ଚାଉଳ ବୋଝେଇ ଟ୍ରକକୁ ଓଡ଼ିଶା ପୋଲିସ ଅଟକାଇବା ପରେ ଏହି ଘଟଣାକୁ ନେଇ ଉତ୍ତେଜନା ଆହୁରି ବଢ଼ିଛି।
ଅନ୍ୟପଟେ ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଥିବାରୁ କୋଟିଆରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ଓଡ଼ିଶା ପ୍ରଶାସନ। ଅଞ୍ଚଳରେ ମୁତୟନ ହୋଇଛନ୍ତି ୭ ପ୍ଲାଟୁନ ପୋଲିସ ଫୋର୍ସ। ତିନୋଟି ଚେକ୍ ଗେଟ୍ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଏଥିସହ ୯ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କୁ ଦାୟିତ୍ୱ ଦିଆଯାଇଛି। ରୋଟେସନ୍ ଭିତ୍ତିରେ ସେମାନେ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବେ।
ସେହିପରି ନେରେଡିବାଲସା, ଫାଟୁସିନେରୀ ଓ ଫଗୁଣ ସିନେରୀ ଅଞ୍ଚଳରେ ମେଡିକାଲ କ୍ୟାମ୍ପ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉଛି।
ସୀମାନ୍ତ ଅଞ୍ଚଳରେ ନିଜର ପ୍ରଶାସନିକ ଉପସ୍ଥିତି ବଜାୟ ରଖିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବେ ଓଡ଼ିଶା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
