ପଞ୍ଜାବ ରାଜନୀତିରେ ନୂଆ ସମୀକରଣ । ଆଗାମୀ ବିଧାନସଭା ନିର୍ବାଚନକୁ ଏକାଠି ଲଢ଼ିବେ ବିଜେପି ଓ ଶିରୋମଣି ଅକାଳୀ ଦଳ । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଅକାଳୀ ଦଳ ପୁଣିଥରେ ବିଜେପି ନେତୃତ୍ୱାଧୀନ NDA ମେଣ୍ଟକୁ ଫେରିଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି ।
ମେଣ୍ଟର ଲକ୍ଷ୍ୟ ସମ୍ପର୍କରେ ଅମିତ ଶାହ କହିଛନ୍ତି, ପଞ୍ଜାବକୁ ନିଶା ଓ ଦୁର୍ନୀତିମୁକ୍ତ କରିବା ହେଉଛି ଏହି ମେଣ୍ଟର ପ୍ରମୁଖ ଉଦ୍ଦେଶ୍ୟ । ୨୦୨୯ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ସେ ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି ।
ଅକାଳୀ ଦଳର NDAକୁ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରି ଶାହ କହିଛନ୍ତି, ମେଣ୍ଟର ପୁରୁଣା ସହଯୋଗୀ ପୁଣି ଏକାଠି ହୋଇଛନ୍ତି । ଆଗାମୀ ପଞ୍ଜାବ ନିର୍ବାଚନରେ ଶିରୋମଣି ଅକାଳୀ ଦଳ ବଡ଼ ଭାଇର ଭୂମିକା ନିର୍ବାହ କରିବ ଏବଂ ସୁଖବୀର ସିଂହ ବାଦଲ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ସେ ସୂଚନା ଦେଇଛନ୍ତି ।
ଏହି ଅବସରରେ ଅମିତ ଶାହ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ମେଣ୍ଟ ଗଠନ ପୂର୍ବରୁ ମଧ୍ୟ ଏହି ଦୁଇ ଦଳର ପରାଜୟ ନିଶ୍ଚିତ ଥିବା ବେଳେ ଏବେ ମେଣ୍ଟ ପରେ ସେମାନଙ୍କ ପରାଜୟ ଆହୁରି ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ଏହି ମେଣ୍ଟକୁ ସ୍ୱାଗତ କରିଛନ୍ତି । ବିଜେପି ଓ ଅକାଳୀ ଦଳର ମିଳିତ ଯାତ୍ରାକୁ ସ୍ୱାଭାବିକ ପଦକ୍ଷେପ ବୋଲି ଅଭିହିତ କରିବା ସହ ଏହା ପଞ୍ଜାବବାସୀ ଏବଂ ହିନ୍ଦୁ-ଶିଖ୍ ଏକତାକୁ ଆହୁରି ମଜଭୁତ କରିବ ବୋଲି ମତ ଦେଇଛନ୍ତି ।
ମେଣ୍ଟକୁ ଭାବନାତ୍ମକ ସମ୍ପର୍କ କହିଲେ ସୁଖବୀର
ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଏହି ମେଣ୍ଟକୁ କେବଳ ରାଜନୈତିକ ବୁଝାମଣା ନୁହେଁ, ବରଂ ଏକ ଭାବନାତ୍ମକ ସମ୍ପର୍କ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଦୁଇ ଦଳର ସମ୍ପର୍କ ଦୀର୍ଘ ବର୍ଷର । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ମଧ୍ୟ ପୁରୁଣା ସମ୍ପର୍କ ରହିଛି । ତେଣୁ ଏହି ମିଳନ ଉଭୟ ଦଳ ପାଇଁ ଭାବନା ସହ ଜଡ଼ିତ ବୋଲି ସେ ଉଲ୍ଲେଖ କରିଛନ୍ତି ।
କ’ଣ କହୁଛି ନିର୍ବାଚନୀ ଇତିହାସ?
ପଞ୍ଜାବରେ ବିଜେପି ଓ ଶିରୋମଣି ଅକାଳୀ ଦଳ ପୂର୍ବରୁ ମଧ୍ୟ ମିଳିତ ଭାବେ ନିର୍ବାଚନ ଲଢ଼ିଛନ୍ତି । ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ମସିହାର ବିଧାନସଭା ନିର୍ବାଚନରେ ଦୁଇ ଦଳ ମେଣ୍ଟ କରିଥିଲେ । ଏହି ପାଞ୍ଚଟି ନିର୍ବାଚନ ମଧ୍ୟରୁ ତିନୋଟିରେ ମେଣ୍ଟ ବିଜୟୀ ହୋଇ ସରକାର ଗଠନ କରିଥିଲା । ୧୯୯୭, ୨୦୦୭ ଓ ୨୦୧୨ରେ ମେଣ୍ଟକୁ ସଫଳତା ମିଳିଥିଲା ।
