Home Odisha୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ

୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ

by Sunita Jena
0 comments

ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ବାଚନର ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୧୫ ତାରିଖରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମତଦାନ ହେବ। ଏହାର ପରଦିନ, ଅର୍ଥାତ୍‌ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ନେବେ।

ନିର୍ବାଚନ ପ୍ରକ୍ରିୟା ପାଇଁ ୭ ତାରିଖରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଔପଚାରିକ ବିଜ୍ଞପ୍ତି ପ୍ରକାଶ ପାଇବ। ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ଏହି ନିଷ୍ପତ୍ତିକୁ ନେଇ କ୍ୟାମ୍ପସ୍‌ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ରାଜନୈତିକ ଚଳଚଞ୍ଚଳତା ମଧ୍ୟ ଦେଖାଦେଇଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଛାତ୍ର ନିର୍ବାଚନ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରୁ ନେତୃତ୍ୱର ନୂଆ ମୁହଁ ସାମ୍ନାକୁ ଆସିବାର ସୁଯୋଗ ମିଳିବ। ଏହା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶୀଘ୍ର ବିସ୍ତୃତ ନିର୍ବାଚନୀ ନିର୍ଦ୍ଦେଶାବଳୀ ଜାରି ହେବ।

ନିର୍ବାଚନ ଘୋଷଣା ପରେ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ସକ୍ରିୟ ହୋଇଛନ୍ତି। ଏବିଭିପି, ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ସମେତ ଏଆଇଏସଏଫ୍‌, ଡିଏସ୍‌ଓ ଓ ଏସ୍‌ଏଫ୍‌ଆଇ ପରି ସଂଗଠନଗୁଡ଼ିକ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନୂଆ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ ବଢ଼ାଇବା ଏବଂ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ନେଇ ଆଲୋଚନା ଜୋରଦାର ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ ମହାବିଦ୍ୟାଳୟ, ବେସିକ୍‌ ସାଇନ୍ସ କଲେଜ ଓ ଅନ୍ୟାନ୍ୟ କ୍ୟାମ୍ପସ୍‌ରେ ନିର୍ବାଚନୀ ମାହୋଲ ଧୀରେ ଧୀରେ ଗରମ ହେଉଛି। ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ ଏଥର ନୂଆ ଛାତ୍ର ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment