ଭୂସ୍ଖଳନ ଯୋଗୁଁ ଆଉ ଯେପରି ଜୀବନହାନି ନହୁଏ, ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ପାହାଡ଼ ଉପରେ ଓ ତଳଭାଗରେ ଥିବା ବିପଦସଂକୁଳ ଜନବସତିକୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି। ଆବଶ୍ୟକସ୍ଥଳେ ସମ୍ପୂର୍ଣ୍ଣ ଗାଁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲିରେ ଘଟିଥିବା ଭୟାବହ ଭୂସ୍ଖଳନ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଘଟଣାର ଭୟାବହତା ଏବଂ ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ପ୍ରଭାବ କମାଇବାକୁ ଯୋଜନା ପ୍ରସ୍ତୁତ ହେଉଛି।
ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ଅନୁସାରେ, ପାହାଡ଼ ଉପରେ ଓ ପାହାଡ଼ ପାଦଦେଶରେ ରହୁଥିବା ଲୋକଙ୍କ ସ୍ଥିତି ଯାଞ୍ଚ କରାଯାଉଛି। ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକରେ କେତେ ଲୋକ ବସବାସ କରୁଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯିବ। ଚିହ୍ନଟ ପରେ ସେମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ନେବା ବ୍ୟବସ୍ଥା କରାଯିବ।
ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଓଡ଼ିଶାର ଏକ ଅଧିକାରୀ ଦଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଗସ୍ତ କରି ସେଠାକାର ପଦକ୍ଷେପ ଓ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ବିଶେଷକରି କନ୍ଧମାଳ ଓ ଗଜପତି ଜିଲ୍ଲାର ଅନେକ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ତେଣୁ ବିପଦସଂକୁଳ ସ୍ଥାନରେ ଥିବା ଗାଁଗୁଡ଼ିକୁ ଚିହ୍ନଟ କରି ଲୋକଙ୍କୁ ତଳଭାଗର ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବ। ଏଥିପାଇଁ ନୂଆ ବସତି ନିର୍ମାଣ ସହ ଘର ଯୋଗାଇଦେବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି।
ଗିଡ଼ିପାବାଲି ଭୂସ୍ଖଳନରୁ ବଞ୍ଚିଯାଇଥିବା ପରିବାରଗୁଡ଼ିକ ମଧ୍ୟ ସୁରକ୍ଷିତ ସ୍ଥାନରେ ଜମି ଓ ଘର ଯୋଗାଇଦେବାକୁ ଦାବି କରିଛନ୍ତି। ଏହି ପରିବାରଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ସାମୁଦ୍ରିକ ବାତ୍ୟା ‘ତିତଲି’ ସମୟରେ ଗଜପତି ଜିଲ୍ଲାରେ ବ୍ୟାପକ ଭୂସ୍ଖଳନ ହୋଇଥିଲା। ଅକ୍ଟୋବର ୧୧ରେ ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ସ୍ଥଳଭାଗ ଛୁଇଁଥିବା ଏହି ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ୨୯୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହାଦ୍ୱାରା ବାରଘରା ଗାଁରେ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଥିଲା। ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନରେ ମୋଟ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିଲା।
ବାରମ୍ବାର ଏଭଳି ବିପର୍ଯ୍ୟୟର ପୁନରାବୃତ୍ତିକୁ ରୋକିବା ଏବଂ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ସୁରକ୍ଷିତ କରିବା ଏବେ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି।
