ଭୁବନେଶ୍ୱର: ଯାତ୍ରା ଜଗତରେ ନିଜ ଅଭିନୟ ଦକ୍ଷତା ପାଇଁ ପରିଚିତ ସାଇ ସତ୍ୟଜିତ ପଣ୍ଡା ଏବେ ଓଲିଉଡ୍ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ବଡ଼ ପରଦାରେ ନିଜ ଅଭିନୟର ଛାପ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ସେ।
ସାଇ ସତ୍ୟଜିତଙ୍କୁ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଆଉ ଗୋଟେ ଦିୱାନା’ରେ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ନିକଟରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ଅଶୋକ ପତି ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ବିଜୟ କୁମାର କାନ୍ଦୋଇ ପ୍ରଯୋଜନା କରୁଛନ୍ତି। ସାଇ ସତ୍ୟଜିତଙ୍କ ସହ ଅଭିନେତା ସମ୍ବିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ପ୍ରେମ ଓ ପ୍ରତାରଣାକୁ ନେଇ ଏକ ରୋମାଞ୍ଚକର କାହାଣୀ ଫିଲ୍ମର ମୁଖ୍ୟ ଆକର୍ଷଣ ରହିବ। ୨୦୨୭ରେ ଏହା ପରଦାକୁ ଆସିବାର ଯୋଜନା ରହିଛି।
ଯାତ୍ରା ମଞ୍ଚରେ ପୁଣି ନୂଆ ଅବତାର
ସିନେମାରେ ପାଦ ଥାପିବା ସହ ଯାତ୍ରା ଜଗତରେ ମଧ୍ୟ ସାଇ ସତ୍ୟଜିତଙ୍କ ବ୍ୟସ୍ତତା ଜାରି ରହିବ। ୨୦୨୭-୨୮ ଯାତ୍ରା ଋତୁ ପାଇଁ ତାଙ୍କର ଏକ ନୂଆ ନାଟକ ‘ଭୈରବ’ ଚର୍ଚ୍ଚାରେ ରହିଛି। ମହେଶ ହାଜରା ଏହାର ନିର୍ଦ୍ଦେଶନା ଦେବେ ଏବଂ ଡ. ଦୀପକ ଜେନା ନାଟକଟି ରଚନା କରିଛନ୍ତି। ଏଥିରେ ସାଇ ସତ୍ୟଜିତ ଭୈରବ ଚରିତ୍ରରେ ଅଭିନୟ କରିବେ।
ବିବାଦକୁ ନେଇ ମଧ୍ୟ ଚର୍ଚ୍ଚାରେ
ଅଭିନୟ ବ୍ୟତୀତ କିଛି ବିବାଦକୁ ନେଇ ମଧ୍ୟ ସାଇ ସତ୍ୟଜିତ ଖବରର ଶିରୋନାମାରେ ରହିଛନ୍ତି। ଯାତ୍ରା ମଞ୍ଚରେ ସାପ ଧରି ଅଭିନୟ କରିବା ଘଟଣାକୁ ନେଇ ପୂର୍ବରୁ ବିବାଦ ଉପୁଜିଥିଲା। ଏହାବ୍ୟତୀତ ଗତବର୍ଷ ଯାତ୍ରା ମାଲିକଙ୍କ ବିରୋଧରେ ସେ ଥାନାରେ ଅଭିଯୋଗ କରିଥିବା ମଧ୍ୟ ଚର୍ଚ୍ଚାକୁ ଆସିଥିଲା।
ଏବେ ଯାତ୍ରା ମଞ୍ଚରୁ ସିନେମା ଜଗତକୁ ତାଙ୍କର ଏହି ନୂଆ ଯାତ୍ରା କେତେ ସଫଳ ହେଉଛି, ତାହା ଦେଖିବାକୁ ଓଡ଼ିଆ ସିନେପ୍ରେମୀଙ୍କ ଅପେକ୍ଷା।
