Home » Blog » ଦୁର୍ଘଟଣା ପରେ ପ୍ରଶାସନର କଟକଣା, ଆଜି ବାଲିଯାତ୍ରାରେ ବନ୍ଦ ରହିବ ଦୋଳିଖେଳ

ଦୁର୍ଘଟଣା ପରେ ପ୍ରଶାସନର କଟକଣା, ଆଜି ବାଲିଯାତ୍ରାରେ ବନ୍ଦ ରହିବ ଦୋଳିଖେଳ

by Sunita Jena
0 comments

କଟକ ବାଲିଯାତ୍ରାରେ ରାମଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ପ୍ରଶାସନ। ଆଉ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ଆଜି ବାଲିଯାତ୍ରା ପଡ଼ିଆରେ ସମସ୍ତ ପ୍ରକାର ଦୋଳିଖେଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ବାଲିଯାତ୍ରାର ତଳ ପଡ଼ିଆସ୍ଥିତ ‘କଟକ ଇନ୍‌ କଟକ’ ନିକଟରେ ଥିବା ଏକ ରାମଦୋଳିରୁ ଦୁଇ ଯୁବକ ତଳକୁ ଖସିପଡ଼ିଥିଲେ। ଏହି ଦୁର୍ଘଟଣାରେ ଚନ୍ଦ୍ରକାନ୍ତ ବଳ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି।

ଘଟଣା ପରେ ବାଲିଯାତ୍ରା ପଡ଼ିଆରେ ମୁତୟନ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଅଧିକାରୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଦୁଇ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ ମେଳାରେ ଲାଗିଥିବା ଦୋଳିଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ, ୨୦୨୫ ବାଲିଯାତ୍ରା ସମୟରେ ମଧ୍ୟ ଏକ ଦୋଳିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୮ ଜଣ ଯୁବକଯୁବତୀ ଫସି ରହିଥିଲେ। ପରେ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

ଲଗାତାର ଏଭଳି ଘଟଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରାରେ ଦୋଳିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶାସନର ନିଷ୍ପତ୍ତି ଏବେ ଗୁରୁତ୍ୱ ବହନ କରୁଛି।

You may also like

Leave a Comment