ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଦୁଇ ଜଣ ସ୍କୁଲ୍ ଛାତ୍ରୀଙ୍କ ଉପରେ ଚେନ୍ସୋରେ ଆକ୍ରମଣ ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ସିନେମାରେ ହିଂସାତ୍ମକ ଦୃଶ୍ୟର ପ୍ରଭାବକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଛି। ଏହାରି ଭିତରେ ଗାୟକ ତଥା ସଙ୍ଗୀତକାର ଅମାଲ ମଲିକ ଏକ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।
ତାଙ୍କ ମତରେ, ଯଦି ହିଂସାତ୍ମକ ଦୃଶ୍ୟ ପାଇଁ ଚଳଚ୍ଚିତ୍ରକୁ ସମାଲୋଚନା କରାଯାଉଛି, ତେବେ ମହିଳାଙ୍କୁ ଅସମ୍ମାନଜନକ ଭାବେ ଉପସ୍ଥାପନ କରୁଥିବା ଗୀତଗୁଡ଼ିକୁ ମଧ୍ୟ ସମାନ ଭାବେ ବିଚାର କରାଯିବା ଦରକାର। ଏଥିପାଇଁ ସେ ‘ବିଡ଼ି ଜଲାଇଲେ’, ‘ଚିକ୍ନି ଚମେଲି’, ‘ମୁନ୍ନି ବଦନାମ୍’ ଓ ‘ପିଙ୍କ୍ ଲିପ୍ସ’ ଭଳି ଗୀତର ଉଦାହରଣ ଦେଇଛନ୍ତି। ଏଭଳି ଗୀତର ବିଷୟବସ୍ତୁ ଉପରେ ମଧ୍ୟ ନିୟନ୍ତ୍ରଣ ଓ ନିଷେଧର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।
ଅମାଲଙ୍କ କହିବା ଅନୁସାରେ, ଚଳଚ୍ଚିତ୍ର ଓ ସଙ୍ଗୀତ ଯୁବପିଢ଼ିଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଥାଏ। ତେଣୁ କଳାକାର ଓ ନିର୍ମାତାମାନେ ନିଜ ସୃଷ୍ଟି ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ। ତେବେ ସମାଜରେ ଘଟୁଥିବା ହିଂସା ପାଇଁ କେବଳ ସିନେମା କିମ୍ବା ସଙ୍ଗୀତକୁ ଦୋଷ ଦେବା ଠିକ୍ ନୁହେଁ।
ସେ ଆହୁରି କହିଛନ୍ତି, ପରିବାରର ପରିବେଶ, ପିଲାଙ୍କ ଲାଳନପାଳନ, ବ୍ୟକ୍ତିଗତ ଅନୁଭୂତି ଓ ସାମାଜିକ ପରିସ୍ଥିତି ମଧ୍ୟ ଜଣେ ବ୍ୟକ୍ତିର ମାନସିକତା ଗଠନରେ ପ୍ରଭାବ ପକାଇଥାଏ। ଦର୍ଶକମାନେ ମଧ୍ୟ ସିନେମାର କାଳ୍ପନିକ କାହାଣୀ ଓ ବାସ୍ତବ ଜୀବନ ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବା ଉଚିତ।
‘ଆନିମଲ୍’, ‘କବୀର ସିଂହ’, ‘ଧୁରନ୍ଧର’ ଓ ‘କେଜିଏଫ୍’ ଭଳି ଚଳଚ୍ଚିତ୍ରକୁ ଉଦାହରଣ ଭାବେ ଉଲ୍ଲେଖ କରି ଅମାଲ କହିଛନ୍ତି, ଏହି ସିନେମାଗୁଡ଼ିକୁ ସେ ଉପଭୋଗ କରିଥିଲେ ମଧ୍ୟ କିଛି ଦୃଶ୍ୟକୁ ନେଇ ତାଙ୍କର ଆପତ୍ତି ରହିଛି।ଏହା ସହ ହିଂସାତ୍ମକ ସିନେମାକୁ ନେଇ ଚାଲିଥିବା ବିତର୍କ ଭିତରେ ଗୀତରେ ମହିଳାଙ୍କ ଚିତ୍ରଣ ଓ ଆପତ୍ତିଜନକ ଶବ୍ଦ ବ୍ୟବହାରକୁ ନେଇ ମଧ୍ୟ ନୂଆ ଆଲୋଚନା ଆରମ୍ଭ ହୋଇଛି।
