ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ନୂଆ କଡ଼ା ନିୟମ ଲାଗୁ କରିଛି। ଟ୍ରେନ୍ ଭିତରେ ଧୂମପାନ, ବିନା ଅନୁମତିରେ ସାମଗ୍ରୀ ବିକ୍ରି ଏବଂ ଭିକ୍ଷାବୃତ୍ତି ବିରୋଧରେ ଜରିମାନା ବଢ଼ାଯାଇଛି।
ରେଳ ମନ୍ତ୍ରାଳୟ ପକ୍ଷରୁ ଜନ ବିଶ୍ୱାସ (ସଂଶୋଧନ) ଅଧିନିୟମ, ୨୦୨୬ ଅନୁଯାୟୀ ଏହି ସଂଶୋଧିତ ନିୟମ ଲାଗୁ କରାଯାଇଛି। ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।
ନୂଆ ନିୟମ ଅନୁସାରେ, ଟ୍ରେନ୍ କିମ୍ବା ରେଳ ପରିସର ମଧ୍ୟରେ ଧୂମପାନ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ। କୌଣସି ଯାତ୍ରୀ ଧୂମପାନ କରୁଥିବା ବେଳେ ଧରାପଡ଼ିଲେ ତାଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏହା ସହିତ ତାଙ୍କ ଟିକେଟ୍ କିମ୍ବା ପାସ୍ ବାତିଲ କରାଯାଇପାରିବ ଏବଂ ରେଳ ପରିସରରୁ ବାହାର କରାଯାଇପାରିବ।
ଯଦି କୌଣସି ବ୍ୟକ୍ତି ଜରିମାନା ଦେବାକୁ ମନା କରନ୍ତି, ତେବେ ତାଙ୍କୁ ଅଦାଲତରେ ହାଜର କରାଯାଇପାରିବ। ଦୋଷୀ ସାବ୍ୟସ୍ତ ହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଜରିମାନା ଲାଗିପାରେ।
ସେହିପରି ରେଳ ଷ୍ଟେସନ୍ କିମ୍ବା ଟ୍ରେନ୍ ଭିତରେ ବିନା ଲାଇସେନ୍ସରେ ସାମଗ୍ରୀ ବିକ୍ରି କିମ୍ବା ହକରି କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ୨ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
ଜରିମାନା ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ୩ ମାସ ପର୍ଯ୍ୟନ୍ତ ଜେଲ୍, ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ।
ବାରମ୍ବାର ଏହି ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଆହୁରି କଡ଼ା ବ୍ୟବସ୍ଥା ରହିଛି। ଚତୁର୍ଥ ଥର କିମ୍ବା ତା’ଠାରୁ ଅଧିକ ଥର ଧରାପଡ଼ିଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ହୋଇପାରେ।
ଏହାଛଡ଼ା ଟ୍ରେନ୍ ଏବଂ ରେଳ ପରିସରରେ ଭିକ୍ଷାବୃତ୍ତି ଉପରେ ଥିବା ନିଷେଧାଜ୍ଞା ମଧ୍ୟ ବଳବତ୍ତର ରହିବ ବୋଲି ରେଳବାଇ ସ୍ପଷ୍ଟ କରିଛି।
ରେଳବାଇ କହିଛି, ଯାତ୍ରୀଙ୍କ ସୁରକ୍ଷା, ପରିଚ୍ଛନ୍ନତା ଓ ସୁବିଧାକୁ ଧ୍ୟାନରେ ରଖି ଏହି କଡ଼ା ନିୟମ ଲାଗୁ କରାଯାଇଛି।
