Home Uncategorizedଅନୁଗୋଳରେ ବଢୁଛି ବାୟୁ ପ୍ରଦୂଷଣ, କୋଇଲା ଟ୍ରକ୍‌ ନେଇ ବଢ଼ିଲା ଚିନ୍ତା

ଅନୁଗୋଳରେ ବଢୁଛି ବାୟୁ ପ୍ରଦୂଷଣ, କୋଇଲା ଟ୍ରକ୍‌ ନେଇ ବଢ଼ିଲା ଚିନ୍ତା

by Sunita Jena
0 comments

ଶିଳ୍ପାଞ୍ଚଳ ଅନୁଗୋଳରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତା ବଢ଼ାଇଛି। ସହର ମଧ୍ୟଦେଇ ପ୍ରତିଦିନ ଚାଲୁଥିବା କୋଇଲା ବୋଝେଇ ଭାରୀ ଯାନବାହନରୁ ଉଡୁଥିବା ଧୂଳି ଓ କୋଇଲା ଗୁଣ୍ଡ ପ୍ରଦୂଷଣର ମାତ୍ରା ବଢ଼ାଉଥିବା ଅଭିଯୋଗ ହେଉଛି। ବର୍ଷା ଋତୁରେ ମଧ୍ୟ ବାୟୁ ଗୁଣବତ୍ତା ଆଶାନୁରୂପ ନସୁଧୁରିବା ଏବେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସହର ରାସ୍ତାରେ ରାତି ସମୟରେ ବହୁ ସଂଖ୍ୟାରେ କୋଇଲା ବୋଝେଇ ଟ୍ରକ୍‌ ଯାତାୟାତ କରୁଛି। ଟ୍ରକ୍‌ଗୁଡ଼ିକରେ ଆବରଣ ଦିଆଯାଉଥିଲେ ମଧ୍ୟ ରାସ୍ତାର ହମ୍ପ୍‌ସ ଓ ଖରାପ ରାସ୍ତା ଦେଇ ଯିବାବେଳେ କୋଇଲା ଗୁଣ୍ଡ ବାହାରକୁ ଉଡୁଥିବା ଅଭିଯୋଗ ରହିଛି। ଏହାର ପ୍ରଭାବରେ ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଧୂଳି ଓ କୋଇଲା ଗୁଣ୍ଡ ଜମିବା ସହ ପରିବେଶ ପ୍ରଭାବିତ ହେଉଛି। ସହରର କେତେକ ପ୍ରମୁଖ ରାସ୍ତାରେ ଏହି ସମସ୍ୟା ଅଧିକ ଦେଖାଯାଉଥିବା କୁହାଯାଉଛି। କୋଇଲା ସହ ଲୁହାପଥର ଓ ପାଉଁଶ ପରିବହନ ମଧ୍ୟ ଚାଲୁଥିବାରୁ ରାସ୍ତାର ଧୂଳି ପ୍ରଦୂଷଣ ଆହୁରି ବଢୁଥିବା ଅଭିଯୋଗ ହୋଇଛି।

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍‌ ମାସରେ ଅନୁଗୋଳର ବାୟୁ ଗୁଣବତ୍ତା ଏକଦିନ ଅତ୍ୟଧିକ ଖରାପ ସ୍ତରରେ ପହଞ୍ଚିଥିଲା। ସେତେବେଳେ AQI ୩୦୦ରୁ ଅଧିକ ରେକର୍ଡ ହୋଇଥିବା କୁହାଯାଇଛି। ପରବର୍ତ୍ତୀ ସମୟରେ ବର୍ଷା ଯୋଗୁଁ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥିଲା। ତଥାପି ଜୁଲାଇ ଓ ଅଗଷ୍ଟ ଭଳି ବର୍ଷା ମାସରେ ମଧ୍ୟ ଅନେକ ଦିନ AQI ୧୦୦ ଉପରେ ରହିଥିବାରୁ ଚିନ୍ତା ବଢ଼ିଛି।

ବିଶେଷକରି ବାୟୁରେ PM10 ଭଳି କଣିକାର ମାତ୍ରା ଅଧିକ ରହିବା ଉଦ୍‌ବେଗର କାରଣ ହୋଇଛି। ସାଧାରଣତଃ ବର୍ଷା ସମୟରେ ବାୟୁରେ ଥିବା ଧୂଳିକଣା କମିବାର ଆଶା ରହିଥାଏ। କିନ୍ତୁ ଅନୁଗୋଳରେ ଲଗାତାର ଶିଳ୍ପ କାର୍ଯ୍ୟକଳାପ, ଭାରୀ ଯାନ ଚଳାଚଳ ଏବଂ କୋଇଲା ପରିବହନ ଯୋଗୁଁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଆଣିବା ଚ୍ୟାଲେଞ୍ଜ ହୋଇଛି। ପରିବେଶବିତ୍‌ମାନଙ୍କ ମତରେ, କୋଇଲା ପରିବହନ କରୁଥିବା ଟ୍ରକ୍‌ରେ ଠିକ୍‌ ଭାବରେ ଆବରଣ ନଦେବା ଏବଂ ରାସ୍ତାରେ ଅଧିକ ସଂଖ୍ୟାରେ ହମ୍ପ୍‌ସ ଥିବା ଯୋଗୁଁ କୋଇଲା ଗୁଣ୍ଡ ଓ ଧୂଳି ବାୟୁରେ ମିଶୁଛି। ଏହା ସହିତ ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ନିୟମ ଅନୁସାରେ ଚାଲୁଛି କି ନାହିଁ, ତାହା ନିୟମିତ ଯାଞ୍ଚର ଆବଶ୍ୟକତା ରହିଛି।

ଆଗାମୀ ଦିନରେ ବର୍ଷା କମିବା ସହ ଶୁଷ୍କ ପାଗ ଆରମ୍ଭ ହେଲେ ପ୍ରଦୂଷଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି। ବିଶେଷକରି ଶୀତ ଋତୁରେ ପ୍ରଦୂଷଣ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏପଟେ ପ୍ରଦୂଷଣ କମାଇବା ପାଇଁ କୋଇଲା ପରିବହନ ସମୟରେ ଟ୍ରକ୍‌ରେ ଭଲ ଭାବରେ ଆବରଣ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଆଗାମୀ ଦିନରେ ରେଳପଥ ମାଧ୍ୟମରେ ଅଧିକ କୋଇଲା ପରିବହନ କରାଯିବା ନେଇ ନିଷ୍ପତ୍ତି ହୋଇଥିବାରୁ ସହର ରାସ୍ତାରେ ଭାରୀ ଯାନ ଚଳାଚଳ କମିବ ଏବଂ ଏହା ପ୍ରଦୂଷଣ ହ୍ରାସରେ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି।

You may also like

Leave a Comment