Home Featuredଜନଜାତି ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; କ୍ଷେତ୍ରସ୍ତରରେ କାମ କରିବାକୁ ପରାମର୍ଶ

ଜନଜାତି ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; କ୍ଷେତ୍ରସ୍ତରରେ କାମ କରିବାକୁ ପରାମର୍ଶ

by Lokanath Panigrahi
0 comments

ଭୁବନେଶ୍ୱର, ୧୮ ଜୁଲାଇ:

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ରାଜନୀତି କ୍ଷମତା ଉପଭୋଗର ମାଧ୍ୟମ ନୁହେଁ, ବରଂ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ ସେବା କରିବାର ଏକ ସୁଯୋଗ।

ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିୟମିତ ଭାବେ କ୍ଷେତ୍ରସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା, ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖି ସମାଧାନ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ, ଜନଜାତି ସମ୍ପ୍ରଦାୟର ଭାଷା, କଳା ଓ ସଂସ୍କୃତି ଓଡ଼ିଶାର ସମୃଦ୍ଧ ପରମ୍ପରାର ଏକ ମୂଲ୍ୟବାନ ଅଂଶ। ବିକାଶ ସହ ସାଂସ୍କୃତିକ ଐତିହ୍ୟର ସୁରକ୍ଷାକୁ ସମାନ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ଜନଜାତି କଲ୍ୟାଣ ପାଇଁ ରାଜ୍ୟ ସରକାର ପକ୍ଷରୁ ବୈଷୟିକ ଶିକ୍ଷାରେ ସଂରକ୍ଷଣ, ଛାତ୍ରବୃତ୍ତି ବୃଦ୍ଧି, ଜୀବିକା ସହାୟତା ଓ ଅଣୁ-ଉଦ୍ୟୋଗ ପ୍ରୋତ୍ସାହନ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଉପରେ ସେ ଆଲୋକପାତ କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନଜାତି ବିକାଶ ଯୋଜନାର ସୁଯୋଗକୁ ମଧ୍ୟ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଥିଲେ।

ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଅଞ୍ଚଳର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇ ତାହାର ସମାଧାନ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯିବ।

ମୁଖ୍ୟଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉନ୍ନୟନ ପରିଷଦରେ ମହିଳା ଓ ପୁରୁଷଙ୍କ ସମାନ ପ୍ରତିନିଧିତ୍ୱକୁ ସ୍ୱାଗତ କରିବା ସହ ୨୦୩୬ ଭିଜନ ହାସଲ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ।

You may also like

Leave a Comment