Home Nationalନେପାଳରେ ଜଳ ପ୍ରଳୟର ଭୟଙ୍କର ରୂପ: ୬୦୦ ମୃତ, ୧୪୬୮ ନିଖୋଜ; ଆସୁଛି କି ଆଉ ଏକ ବଡ଼ ବନ୍ୟା?

ନେପାଳରେ ଜଳ ପ୍ରଳୟର ଭୟଙ୍କର ରୂପ: ୬୦୦ ମୃତ, ୧୪୬୮ ନିଖୋଜ; ଆସୁଛି କି ଆଉ ଏକ ବଡ଼ ବନ୍ୟା?

by Akshay Maharana
0 comments

ନେପାଳ-ତିବ୍ବତ ସୀମାରେ ଗ୍ଲାସିୟର ଭୂସ୍ଖଳନଜନିତ ଆକସ୍ମିକ ବନ୍ୟା ପରେ ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି। ବୁଧବାର ଘଟିଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୬୦୦ରେ ପହଞ୍ଚିଥିବା ବେଳେ ସୀମାର ଦୁଇ ପାର୍ଶ୍ୱରେ ୧,୪୬୮ ଜଣ ନିଖୋଜ ଥିବା ସୂଚନା ମିଳିଛି। ବନ୍ୟାର ପ୍ରଥମ ଧକ୍କା ପରେ ଏବେ ଆଉ ଏକ ବଡ଼ ବିପଦ ଆଶଙ୍କା ଦେଖାଦେଇଛି।

ନଦୀର ଉପରମୁଣ୍ଡରେ ଗ୍ଲାସିୟର ଭୂସ୍ଖଳନ ଯୋଗୁଁ ଏକ ବିଶାଳ ପ୍ରାକୃତିକ ହ୍ରଦ ସୃଷ୍ଟି ହୋଇଛି। ଏହି ଅସ୍ଥାୟୀ ହ୍ରଦରେ ୨୦ ଲକ୍ଷ କ୍ୟୁବିକ୍ ମିଟରରୁ ଅଧିକ ଜଳ ଜମା ହୋଇଥିବାରୁ ଏହା ଉଛୁଳିଲେ ତଳମୁଣ୍ଡରେ ପୁଣିଥରେ ଭୟଙ୍କର ବନ୍ୟା ଆସିପାରେ। ଚୀନ୍ ସୀମାନ୍ତ ଗ୍ୟାରୋଙ୍ଗ ବନ୍ଦରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଏହି ହ୍ରଦ ରହିଛି।

ସ୍ଥିତିର ଗମ୍ଭୀରତାକୁ ଦେଖି ଚୀନ୍ ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ଅସ୍ଥିର ଭୂଭାଗ ଏବଂ ବନ୍ୟାର ବିପଦ ଯୋଗୁଁ ଉଦ୍ଧାରକାରୀଙ୍କ ପାଇଁ ମଧ୍ୟ ପରିସ୍ଥିତି ଚ୍ୟାଲେଞ୍ଜିଂ ହୋଇପଡ଼ିଛି।

ଏପଟେ ନେପାଳ ପୁଲିସ ଓ ସେନା ପକ୍ଷରୁ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀକୂଳରେ ଥିବା ସମସ୍ତ ଜନବସତି ପାଇଁ ଜରୁରିକାଳୀନ ହାଇ ଆଲର୍ଟ ଜାରି କରାଯାଇଛି। ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

ଏହି ବିପର୍ଯ୍ୟୟ ମଧ୍ୟରେ ନେପାଳ ବୁଲିବାକୁ ଯାଇଥିବା ଓଡ଼ିଶାର ଆଉ ଏକ ପରିବାର ନିଖୋଜ ଥିବା ଖବର ଚିନ୍ତା ବଢ଼ାଇଛି। ଇଂଲଣ୍ଡରେ ରହୁଥିବା ପୂର୍ବତନ ମିସେସ୍ ଇଣ୍ଡିଆ ୟୁକେ ସୁରଭି ସାହୁ, ତାଙ୍କ ସ୍ୱାମୀ ସନ୍ତୋଷ ଏବଂ ଦୁଇ ସନ୍ତାନ ନେପାଳ ଯାତ୍ରା କରିଥିବା ବେଳେ ବନ୍ୟା ପରେ ସେମାନଙ୍କ ସମ୍ପର୍କରେ ସୂଚନା ମିଳୁନାହିଁ।

ନେପାଳ-ତିବ୍ବତ ସୀମାରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ ଏବେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୋଟିଏ ପଟେ ନିଖୋଜଙ୍କ ସନ୍ଧାନ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରାକୃତିକ ହ୍ରଦରୁ ଆସିପାରୁଥିବା ଦ୍ୱିତୀୟ ବନ୍ୟାକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି।

You may also like

Leave a Comment