ଭୁବନେଶ୍ୱର, ୨୫ ଜୁଲାଇ: ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ତମ ଜୟନ୍ତୀ ବର୍ଷକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୨୯ ଜୁଲାଇ ୨୦୨୬ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଗୁରୁ ରବିଦାସ ଜୟନ୍ତୀ) ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ପାଳନ କରାଯିବ।
ଏହି ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଶନିବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରଦେଶସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଗୁରୁ ରବିଦାସଙ୍କ ଜୀବନ ଦର୍ଶନ, ସମାନତା, ଭକ୍ତି, ସେବା, ସାମାଜିକ ନ୍ୟାୟ ଓ ମାନବତାର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଥିଲା।
କର୍ମଶାଳାରେ ସୂଚନା ଦିଆଯାଇଥିଲା ଯେ, ଗୁରୁ ରବିଦାସଜୀଙ୍କ ଜନ୍ମସ୍ଥଳୀ କାଶୀରୁ ଅଭିଯାନର ଶୁଭାରମ୍ଭ ହେବ। ସେଠାର ପବିତ୍ର ମାଟି କଳସରେ ଆଣି ପ୍ରଥମେ ବିଭିନ୍ନ ରାଜ୍ୟକୁ ଏବଂ ପରେ ରାଜ୍ୟର ପ୍ରତ୍ୟେକ ମଣ୍ଡଳକୁ ପହଞ୍ଚାଯିବ। ଅଭିଯାନ ଅବଧିରେ ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ଜନସମ୍ପର୍କମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଗୁରୁ ରବିଦାସ ମହାରାଜଙ୍କ ସମାନତା, ଅସ୍ପୃଶ୍ୟତା ବିରୋଧୀ ଚିନ୍ତାଧାରା ଓ ମାନବ ସେବାର ଆଦର୍ଶକୁ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚାଇବା ସହ ସମାଜର ଅବହେଳିତ ଓ ବଞ୍ଚିତ ବର୍ଗଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ଉପରେ ମଧ୍ୟ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ କେନ୍ଦ୍ରୀୟ କମିଟିର ସଂଯୋଜକ ତଥା ପୂର୍ବତନ ସାଂସଦ ସୁନୀତା ଦୁଗଲ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସୂର୍ଯ୍ୟବଂଶୀ ସୁରଜ, ମୁକେଶ ମହାଲିଙ୍ଗ, ଯାଜପୁର ସାଂସଦ ରବିନାରାୟଣ ବେହେରା, ବିଧାୟକ ରଘୁନାଥ ଜଗଦଲା, ଅଗସ୍ତି ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ଶରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
