ବ୍ରହ୍ମଗିରି (ସୁରେଶ ଦାଶ): ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିରକୁ ମୁହାଁଇଥାନ୍ତି। ଜୁନ୍ ୩୦ରୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଛି।
ଅଲାରନାଥ ମନ୍ଦିର ପରିସରରେ ଆନନ୍ଦ ବଜାରର ସଫେଇ କାର୍ଯ୍ୟ ଶେଷ ହୋଇଥିବାବେଳେ ଭୋଗ ଦୋକାନ ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇଛି। ପିଇବା ପାଣି, ପରିମଳ ବ୍ୟବସ୍ଥା, ଡ୍ରେନେଜ, ଆଲୋକୀକରଣ ସମେତ ମୌଳିକ ସୁବିଧାର କାମ ଶେଷ ପର୍ଯ୍ୟାୟରେ ରହିଛି। ମନ୍ଦିର ଭିତର, ବାହାର, ପାର୍କିଂ ସ୍ଥଳ, ବ୍ୟାରିକେଡ୍, ଆନନ୍ଦ ବଜାର ଏବଂ ଭୋଗ ଦୋକାନ ଅଞ୍ଚଳରେ ସିସିଟିଭି କ୍ୟାମେରା ସ୍ଥାପନ କାର୍ଯ୍ୟ ଜୋରସୋରରେ ଚାଲିଛି।
ବ୍ରହ୍ମଗିରି ଥାନା ଆଇଆଇସି ବାମଦେବ ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବ। ମନ୍ଦିରର ଭିତର, ବେଢ଼ା ଏବଂ ବାହ୍ୟ ପରିସର ଉପରେ କଡ଼ା ନଜର ରଖାଯିବ। ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବାବେଳେ ଗ୍ରୀଷ୍ମ ପ୍ରବାହରୁ ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଟେଣ୍ଟ ଓ ଫ୍ୟାନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।
ପ୍ରତ୍ୟେକ ସେବାୟତ ପରିବାରକୁ ୨୦ଟି ଲେଖାଏ ସ୍ୱତନ୍ତ୍ର ସୁରକ୍ଷିତ ପାସ୍ ପ୍ରଦାନ କରାଯାଇଛି। ନକଲି ପାସ୍ ବ୍ୟବହାର ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚକାରୀ ଟିମ୍ ନିୟୋଜିତ ହେବେ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁଚାରୁ ଦର୍ଶନ ପାଇଁ ୭ ପ୍ଲାଟୁନ ପୁଲିସ ଫୋର୍ସ ସହ ୭୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଏହାଛଡ଼ା ଦୁଇ ସେକ୍ସନ ସାଦା ପୋଷାକଧାରୀ ପୁଲିସ ମଧ୍ୟ ନିୟୋଜିତ ରହିବେ। ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯିବ। ପ୍ରତିବର୍ଷ ଗର୍ଭଗୃହରେ ଚୋରି ଘଟଣା ନଜରକୁ ଆସୁଥିବାରୁ ଏଥର ସୁରକ୍ଷାକୁ ଅଧିକ କଡ଼ା କରାଯାଇଛି।
ଅଣସର ଯାତ୍ରାର ସୁପରିଚାଳନା ପାଇଁ ପୂର୍ବରୁ ପୁରୀ ଏସପି, କେନ୍ଦ୍ରାଞ୍ଚଳ ଆଇଜି, ସ୍ଥାନୀୟ ବିଧାୟିକା, ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଚଳିତ ବର୍ଷ ବରାଦି ଭୋଗ ବଣ୍ଟନ ଶ୍ରୀଗଣେଶ ମନ୍ଦିର ସମ୍ମୁଖରେ ଥିବା ଅସ୍ଥାୟୀ ଭୋଗ ମଣ୍ଡପରେ କରାଯିବ। କେବଳ ନୀତି ଭୋଗ ମନ୍ଦିର ଭିତରେ ସମ୍ପନ୍ନ ହେବ। ଏହାଦ୍ୱାରା ଭକ୍ତଙ୍କ ଦର୍ଶନରେ ସୁବିଧା ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।
ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ଦୀପ ଷ୍ଟାଣ୍ଡ ଏବଂ ଚାପ ପୋଖରୀ ନିକଟରେ ଅଗ୍ନିଶମ ବାହିନୀ ମୁତୟନ ରହିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଆମ୍ବୁଲାନ୍ସ ସହ ଅସ୍ଥାୟୀ ମେଡିକାଲ ଟିମ୍ ମନ୍ଦିର ସମ୍ମୁଖରେ କ୍ୟାମ୍ପ କରିବେ।
ଏଥିସହ ଚଳିତ ବର୍ଷ ଭକ୍ତମାନଙ୍କ ସୁବିଧା ପାଇଁ ଶ୍ରୀଜିଉଙ୍କୁ ଦାନ ପ୍ରଦାନ ନିମନ୍ତେ ଅନଲାଇନ୍ ଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏନେଇ ଅନ୍ତରୀଣ ନ୍ୟାସୀ ତଥା ବ୍ରହ୍ମଗିରି ତହସିଲଦାର ଦେବାଶିଷ ସେଠୀ ସୂଚନା ଦେଇଛନ୍ତି।
