ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଥିବା ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ମାଣର ୫୭ତମ ଦିନରେ ତିନୋଟି ରଥରେ ପ୍ରଥମ ଭୂଇଁ ସ୍ଥାପନ ପରେ ମୂଳ କଇଞ୍ଚି ସଂଯୋଜନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାଠ ଅଂଶ ରଥର ଭୂଇଁକୁ ଅଧିକ ଦୃଢ଼ ଓ ସୁରକ୍ଷିତ କରିବାରେ ସହାୟକ ହୋଇଥାଏ।
ରଥଚାଳିରେ ନିୟୋଜିତ ମହାରଣା ସେବକମାନେ ୧୩ ପରସ୍ତ ବିଶିଷ୍ଟ ପୋଟଳ ନିର୍ମାଣ କାର୍ଯ୍ୟ ସମାପ୍ତ କରିଛନ୍ତି। ପାରାଭାଡ଼ି ପ୍ରସ୍ତୁତି ଶେଷ ହେଲେ ପୋଟଳ ସଂଯୋଗ କରାଯିବ। ସେହିପରି ରଥର ପଛ ଡମକ ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ପଟାବାଡ଼ିଆ କାର୍ଯ୍ୟ ଜାରି ରହିଛି।
ଦୁଆର ବେଢ଼ା ପ୍ରସ୍ତୁତି ପାଇଁ ଆବଶ୍ୟକ ଗାରେଡ଼ି ଓ ଅଁଳା ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ, ଘୋଡ଼ା ସଂଯୋଜନ ବ୍ୟବସ୍ଥା ପାଇଁ ରଥର ସମ୍ମୁଖ ଅଂଶରେ ଚାର ପରିଛା ଫିଟିଂ ଏବଂ କଣ୍ଟା ଲଗାଇବା କାର୍ଯ୍ୟ ମଧ୍ୟ ସରିଛି।
ରୂପକାର ସେବକମାନେ ଚାର ପରିଛାରେ ପଦ୍ମ, ମୟୂର ଓ ବିଭିନ୍ନ ଅଳଙ୍କାରିକ ଲତାପତ୍ରର ସୁନ୍ଦର ଖୋଦେଇ କାମ ସମାପ୍ତ କରିଛନ୍ତି। ଖୋଦେଇ ଶେଷ ପରେ ଭୋଇ ସେବକମାନେ ସେଗୁଡ଼ିକୁ ସଂଯୋଜନ ପାଇଁ ପ୍ରସ୍ତୁତ କରିଛନ୍ତି। ଏହାସହ ଦୁଆର ବେଢ଼ାର ନାଟଗୋଡ଼ରେ କନ୍ଦର୍ପ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲିଛି।
ଚିତ୍ରକାର ସେବକମାନେ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଲଗାଇବା ସହ ରଥର ଚକ, କୋଣଗୁଜ, ପଟାଗୁଜ ଓ ଅନ୍ୟାନ୍ୟ ବାହ୍ୟ ଅଂଶରେ ପ୍ରାଥମିକ ପ୍ରଲେପ (ପ୍ରାଇମର) ଦେବା କାମ କରୁଛନ୍ତି।
ଅନ୍ୟପକ୍ଷରେ, ଦୋଳବେଦୀ ନିକଟସ୍ଥ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ପୋଟଳ ଓ ବିଭିନ୍ନ କାଠ ଅଂଶ ସଂଯୋଜନ ପାଇଁ ଆବଶ୍ୟକ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଏବଂ ନରାଜ କଣ୍ଟା ପ୍ରସ୍ତୁତ କରୁଛନ୍ତି। ପାହି ମହାରଣାମାନେ ମଧ୍ୟ ରଥଯାତ୍ରା ସମୟରେ ଆବଶ୍ୟକ ହେବାକୁ ଥିବା ପୂଜା ଓ ସେବା ସାମଗ୍ରୀ ପାଇଁ କାଠ ଉପକରଣ ତିଆରି କରିବାରେ ବ୍ୟସ୍ତ ରହିଛନ୍ତି।
ରଥଖଳାରେ ପ୍ରତିଦିନ ଚାଲିଥିବା ଏହି କାର୍ଯ୍ୟକଳାପ ରଥଯାତ୍ରା ପାଇଁ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରୁଛି।
