Home » Blog » ଆଇପିଏଲ୍‌କୁ ଅଲବିଦା କହିଲେ ଧୋନି, ୨୦୨୭ରୁ ସିଏସକେର ମେଣ୍ଟର ଦାୟିତ୍ୱ

ଆଇପିଏଲ୍‌କୁ ଅଲବିଦା କହିଲେ ଧୋନି, ୨୦୨୭ରୁ ସିଏସକେର ମେଣ୍ଟର ଦାୟିତ୍ୱ

by Sunita Jena
0 comments

ଚେନ୍ନାଇ: ଆଇପିଏଲ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦୀର୍ଘ ଯାତ୍ରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଖେଳାଳି ଭାବେ ଆଇପିଏଲ୍‌ରୁ ବିଦାୟ ନେବାକୁ ଯାଉଛନ୍ତି ଭାରତର ଏହି ସଫଳ ପୂର୍ବତନ ଅଧିନାୟକ। ତେବେ କ୍ରିକେଟ୍‌ ସହ ତାଙ୍କର ସମ୍ପର୍କ ଶେଷ ହେବ ନାହିଁ। ୨୦୨୭ ଆଇପିଏଲ୍‌ ଋତୁରୁ ଚେନ୍ନାଇ ସୁପର କିଙ୍ଗ୍ସର ମେଣ୍ଟର ଭାବେ ସେ ନୂଆ ଦାୟିତ୍ୱ ତୁଲାଇବେ। ମଙ୍ଗଳବାର ଫ୍ରାଞ୍ଚାଇଜି ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ଧୋନିଙ୍କ ଏହି ନିଷ୍ପତ୍ତି ସହିତ ଚେନ୍ନାଇ ସୁପର କିଙ୍ଗ୍ସର ଏକ ସ୍ମରଣୀୟ ଅଧ୍ୟାୟ ଶେଷ ହେବାକୁ ଯାଉଛି। ଦଳର ମାଲିକ ଏନ୍‌. ଶ୍ରୀନିବାସନ କହିଛନ୍ତି ଯେ, ଧୋନି ସବୁବେଳେ ସିଏସକେର ପରିଚୟ ଓ ଐତିହ୍ୟ ସହ ଜଡ଼ିତ ହୋଇ ରହିବେ।

ସିଏସକେ ମୁଖ୍ୟ ରୂପା ଗୁରୁନାଥଙ୍କ କହିବା ଅନୁଯାୟୀ, ଆଗାମୀ ଆଇପିଏଲ୍‌ ଋତୁରେ ଖେଳିବା ନେଇ ଧୋନି କିଛି ମାସ ପୂର୍ବରୁ ନିଜର ଅନିଶ୍ଚିତତା ପ୍ରକାଶ କରିଥିଲେ। ଗତ ଶନିବାର ଦଳର ଖେଳାଳି ରିଲିଜ୍‌ ତାଲିକା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ଧୋନି ନିଜ ନାମ ମଧ୍ୟ ସେହି ତାଲିକାରେ ସାମିଲ କରିବାକୁ ଶାନ୍ତ ଭାବେ କହିଥିଲେ। ଏହି କଥା ଶୁଣି ସେ ଆଶ୍ଚର୍ଯ୍ୟ ହେବା ସହ ଭାବପ୍ରବଣ ହୋଇପଡ଼ିଥିଲେ।

ରୂପା ଗୁରୁନାଥ ଆହୁରି କହିଛନ୍ତି ଯେ, ଧୋନି ସବୁବେଳେ ଦଳର ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛନ୍ତି। ନିଜର ଶତପ୍ରତିଶତରୁ ଅଧିକ ଅବଦାନ ଦେଇପାରିବେ ବୋଲି ନିଶ୍ଚିତ ନହେଲେ ସେ ଖେଳିବାକୁ ଚାହାନ୍ତି ନାହିଁ। ଦଳର ପ୍ରଦର୍ଶନ ଯେପରି ପ୍ରଭାବିତ ନହୁଏ ଏବଂ ଦଳକୁ ନିଜର ଶ୍ରେଷ୍ଠ ଅବଦାନ ମିଳେ, ସେଥିପ୍ରତି ସେ ସର୍ବଦା ଯତ୍ନବାନ ରହିଥାନ୍ତି।

ଧୋନିଙ୍କ ଅବସର ଖବର ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ଏଣିକି ମଇଦାନରେ ଖେଳାଳି ଭାବେ ନୁହେଁ, ବରଂ ମେଣ୍ଟର ଭାବେ ଦଳକୁ ମାର୍ଗଦର୍ଶନ କରିବେ ମାହି। ହଳଦିଆ ଜର୍ସି ସହ ତାଙ୍କର ସମ୍ପର୍କ ନୂଆ ରୂପ ନେବାକୁ ଯାଉଥିବା ବେଳେ ଏହା ସିଏସକେ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବ।

You may also like

Leave a Comment