Home » Blog » ବାତ୍ୟା ମୁକାବିଲା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି; ଆଜିଠୁ ଆରମ୍ଭ ହେବ ଲୋକଙ୍କ ସ୍ଥାନାନ୍ତରଣ

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି; ଆଜିଠୁ ଆରମ୍ଭ ହେବ ଲୋକଙ୍କ ସ୍ଥାନାନ୍ତରଣ

by Lokanath Panigrahi
0 comments

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ନେଇ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଏବଂ ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍‌ ସହାୟତା ପ୍ରଦାନ ନେଇ ସୋମବାର ରାତିରେ ଏକ ଜରୁରୀ ସମୀକ୍ଷା ବୈଠକ ବସିଥିଲା। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ଆଗାମୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା।

ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ପାହାଡ଼ିଆ ଏବଂ ଭୂସ୍ଖଳନପ୍ରବଣ ଅଞ୍ଚଳର ବାସିନ୍ଦାଙ୍କୁ ମଙ୍ଗଳବାରଠାରୁ ସୁରକ୍ଷିତ ସ୍ଥାନକୁ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ହୋଇଥିବା ପ୍ରବଳ ବର୍ଷାର ଅନୁଭୂତିକୁ ଆଧାର କରି ଏଥର ଆଗୁଆ ପ୍ରସ୍ତୁତି ଉପରେ ଜୋର ଦିଆଯାଇଛି। ଗତଥର ପ୍ରଭାବିତ ହୋଇନଥିବା ଅଞ୍ଚଳଗୁଡ଼ିକୁ ମଧ୍ୟ ସମାନ ଗୁରୁତ୍ୱର ସହ ନଜରରେ ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି। ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ପଡ଼ିଲେ ଜିଲ୍ଲା ପରିବହନ ଅଧିକାରୀଙ୍କ ସହଯୋଗରେ ଯାନବାହନ ବ୍ୟବସ୍ଥା କରାଯିବ।

୩ରୁ ୪ ଦିନର ଖାଦ୍ୟ ଓ ପାଣି ମହଜୁଦ ରଖିବାକୁ ନିର୍ଦ୍ଦେଶ

ବାତ୍ୟାର ମୁକାବିଲା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଅନ୍ତତଃ ୩ରୁ ୪ ଦିନ ପର୍ଯ୍ୟନ୍ତ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରଖିବାକୁ କୁହାଯାଇଛି। ଆଶ୍ରୟସ୍ଥଳୀର ପରିମଳ, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଠିକ୍‌ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ପ୍ରତ୍ୟେକ ଆଶ୍ରୟସ୍ଥଳୀର ଦାୟିତ୍ୱ ଜଣେ ଅଧିକାରୀଙ୍କୁ ଦିଆଯିବ। ବରିଷ୍ଠ ଅଧିକାରୀମାନେ ଏହାର ପ୍ରସ୍ତୁତି ଯାଞ୍ଚ କରିବା ସହ ସମ୍ପୂର୍ଣ୍ଣ ବ୍ୟବସ୍ଥା ସମ୍ପର୍କରେ ପ୍ରମାଣପତ୍ର ଦାଖଲ କରିବେ। ଜନପ୍ରତିନିଧି, ପଞ୍ଚାୟତିରାଜ ସଂସ୍ଥାର ସଦସ୍ୟ ଓ ପୌରସଂସ୍ଥାର କାଉନସିଲରଙ୍କୁ ମଧ୍ୟ ପ୍ରସ୍ତୁତି ଏବଂ ଜନସଚେତନତା କାର୍ଯ୍ୟରେ ସାମିଲ କରାଯିବ।

ଅନ୍ୟପଟେ ସାଧାରଣ ଲୋକଙ୍କୁ ଅତିକମ୍‌ରେ ତିନିଦିନ ପାଇଁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ସଂଗ୍ରହ କରି ରଖିବାକୁ ମାଇକ୍‌ ଯୋଗେ ସଚେତନ କରାଯିବ। ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଦୋକାନୀମାନେ ନିଜ ପ୍ରତିଷ୍ଠାନ ସମ୍ମୁଖରେ ମୂଲ୍ୟ ତାଲିକା ପ୍ରଦର୍ଶନ କରିବେ। ପୂର୍ବ ବନ୍ୟାରେ ଜଳମଗ୍ନ ହୋଇଥିବା ଅଞ୍ଚଳର ପ୍ରତ୍ୟେକ ପରିବାରକୁ ଶୁଖିଲା ରାସନ କିଟ୍‌ ସହ ମହମବତୀ ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ଦୁର୍ବଳ ପୋଲ ଓ ନଦୀବନ୍ଧ ଉପରେ ରହିବ କଡ଼ା ନଜର

ବନ୍ୟା ଆଶଙ୍କା ଥିବା ଅଞ୍ଚଳର ଦୁର୍ବଳ ନଦୀବନ୍ଧ ନିକଟରେ ଲୋକଙ୍କୁ ସତର୍କ କରିବା ସହ ଦୁର୍ବଳ ପୋଲଗୁଡ଼ିକ ନିକଟରେ ଜଳସମ୍ପଦ ବିଭାଗର କର୍ମଚାରୀ ନିୟୋଜିତ ରହିବେ। ଜିଲ୍ଲାର ସମସ୍ତ ଦୁର୍ବଳ ପୋଲର ତାଲିକା ଆସନ୍ତାକାଲି ସୁଦ୍ଧା ଦାଖଲ କରିବାକୁ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ କୁହାଯାଇଛି।

ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ଜେସିବି, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ପ୍ରସ୍ତୁତ ରଖାଯିବ। ଜଳ ନିଷ୍କାସନ କାର୍ଯ୍ୟରେ ଚାଷୀଙ୍କ ସହଯୋଗ ନେବାକୁ ମଧ୍ୟ ଆଲୋଚନା ହୋଇଛି। ବିଭିନ୍ନ ବିଭାଗ ନିଜ ନିଜର ପ୍ରସ୍ତୁତି ଓ କାର୍ଯ୍ୟର ଫଟୋ ଏବଂ ଭିଡିଓ ନିୟମିତ ଭାବେ ପ୍ରଶାସନକୁ ପଠାଇବେ।

ବନ୍ୟା କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ମିଳିବ ସହାୟତା

ବୈଠକରେ ପୂର୍ବ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ରିଲିଫ୍‌ ବଣ୍ଟନ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ବ୍ଲକୱାରୀ ଜିଆର୍‌ ଏବଂ ଚାଉଳ ବଣ୍ଟନର ସ୍ଥିତି ଯାଞ୍ଚ କରିବା ସହ ରାସନ କାର୍ଡ ନଥିବା ଯୋଗ୍ୟ ପରିବାରଙ୍କୁ ମଧ୍ୟ ତୁରନ୍ତ ସହାୟତା ପହଞ୍ଚାଇବାକୁ ଜିଲ୍ଲାପାଳ କହିଛନ୍ତି।

ଯେଉଁ ଅଞ୍ଚଳରେ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଛି, ସେଠାରୁ ଆବଶ୍ୟକତା ଥିବା ଅଞ୍ଚଳକୁ କର୍ମଚାରୀ ପଠାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଅନୁମୋଦନ ପାଇସାରିଥିବା କ୍ଷୟକ୍ଷତି ମାମଲାରେ ଆର୍ଥିକ ସହାୟତା ବଣ୍ଟନ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଛି।

୧୦୭ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନରେ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ୧୦୭ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହାସହ ସାପ କାମୁଡ଼ାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଜୁଦ ରଖିବାକୁ କୁହାଯାଇଛି। ଆସିକା ଅଞ୍ଚଳର ଗୁରୁତର ରୋଗୀଙ୍କୁ ଆବଶ୍ୟକସ୍ଥଳେ ହିଞ୍ଜିଳିକାଟୁକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ବ୍ୟବସ୍ଥା ହେବ। ବୁଧବାର ଜିଲ୍ଲାପାଳ ଆସିକା ଅଞ୍ଚଳ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ଅନୁଧ୍ୟାନ କରିବେ।

ବ୍ରହ୍ମପୁରର ଜଳବନ୍ଦୀ ସମସ୍ୟା ଦୂର କରିବାକୁ ତତ୍ପରତା

ବ୍ରହ୍ମପୁର ସହରରେ ବର୍ଷାଜଳ ନିଷ୍କାସନ ଏବଂ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ସହରର ବିଭିନ୍ନ ଜଳବନ୍ଦୀ ପ୍ରବଣ ସ୍ଥାନର ସ୍ଥିତି ଯାଞ୍ଚ କରିବାକୁ ବିଇଏମ୍‌ସି କମିଶନର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆବଶ୍ୟକ ଯନ୍ତ୍ରପାତି ନିୟୋଜିତ କରି ଜଳ ନିଷ୍କାସନ କାର୍ଯ୍ୟ ତ୍ୱରିତ ଶେଷ କରିବାକୁ ନିର୍ଦ୍ଦେଶ ରହିଛି।

ଜିଲ୍ଲାପାଳ ବୈଠକରେ ସ୍ପଷ୍ଟ କରିଛନ୍ତି ଯେ, ଜନସାଧାରଣଙ୍କ ଜୀବନ ରକ୍ଷା ହିଁ ପ୍ରଶାସନର ପ୍ରଥମ ପ୍ରାଥମିକତା। ଏ କ୍ଷେତ୍ରରେ କୌଣସି ଅବହେଳାକୁ ଗ୍ରହଣ କରାଯିବ ନାହିଁ। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଆଗୁଆ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

You may also like

Leave a Comment