ଉତ୍ତରାଖଣ୍ଡରେ ନିଷ୍କ୍ରିୟ ରାଜନୈତିକ ଦଳଗୁଡ଼ିକ ବିରୋଧରେ ନିର୍ବାଚନ କମିଶନ କଡ଼ା ପଦକ୍ଷେପ ନେଇଛନ୍ତି। ବର୍ଷ ବର୍ଷ ଧରି କୌଣସି ନିର୍ବାଚନୀ କାର୍ଯ୍ୟକଳାପରେ ସକ୍ରିୟ ନ ଥିବା ଏବଂ ନିଜର ଅସ୍ତିତ୍ୱ ସାବ୍ୟସ୍ତ କରିବାରେ ବିଫଳ ହୋଇଥିବା ୧୭ଟି ପଞ୍ଜୀକୃତ କିନ୍ତୁ ଅଣସ୍ୱୀକୃତ ରାଜନୈତିକ ଦଳ ବିରୋଧରେ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଫଳରେ ଏହି ଦଳଗୁଡ଼ିକ ୨୦୨୭ ମସିହାର ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ନିଜ ଦଳୀୟ ପରିଚୟରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।
ଉତ୍ତରାଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟରେ ପଞ୍ଜୀକୃତ ଅଣସ୍ୱୀକୃତ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ନେଇ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ବହୁ ଦଳ ବର୍ଷ ବର୍ଷ ଧରି କୌଣସି ନିର୍ବାଚନରେ ଅଂଶ ନ ନେଇଥିବା ଜଣାପଡ଼ିଥିଲା। ସେମାନଙ୍କୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର କିମ୍ବା ଆବଶ୍ୟକ ପ୍ରମାଣପତ୍ର ଦାଖଲ କରାଯାଇନଥିଲା।
ଅଧିକାରୀମାନଙ୍କ ସୂଚନା ଅନୁସାରେ, ଏହି ୧୭ଟି ଦଳ ଗତ ଛଅ ବର୍ଷ ମଧ୍ୟରେ କୌଣସି ନିର୍ବାଚନରେ ପ୍ରାର୍ଥୀ ଦେଇନଥିଲେ। ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଅନେକ ଦଳ ନିର୍ବାଚନ କମିଶନରେ ଦର୍ଜ ହୋଇଥିବା ଠିକଣାରେ ଆଉ କାର୍ଯ୍ୟ କରୁନଥିଲେ। ଏହି ସମସ୍ତ ତଥ୍ୟ ଆଧାରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ବିସ୍ତୃତ ରିପୋର୍ଟ ନିର୍ବାଚନ କମିଶନଙ୍କୁ ପଠାଇଥିଲା। ଏହା ପରେ କମିଶନ ଏହି ଦଳଗୁଡ଼ିକୁ ପଞ୍ଜୀକୃତ ରାଜନୈତିକ ଦଳର ତାଲିକାରୁ ବାଦ ଦେବା ସହ କଡ଼ା ପଦକ୍ଷେପ ନେଇଛନ୍ତି।
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଅନେକ ଦଳ ବାର୍ଷିକ ଆର୍ଥିକ ବିବରଣୀ, ଦାନଦାତାଙ୍କ ରିପୋର୍ଟ ଦାଖଲ କରିବା ଏବଂ ସମୟମଧ୍ୟରେ ଦଳର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ କରାଇବା ଭଳି ବାଧ୍ୟତାମୂଳକ ନିୟମକୁ ମଧ୍ୟ ପାଳନ କରିନଥିଲେ। କମିଶନ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଓ ପ୍ରମାଣପତ୍ର ମାଗିଥିଲେ ମଧ୍ୟ ଏହି ଦଳଗୁଡ଼ିକ ସନ୍ତୋଷଜନକ ଉତ୍ତର ଦେଇନଥିବା ଅଧିକାରୀମାନେ କହିଛନ୍ତି।
ପଦକ୍ଷେପର ସମ୍ମୁଖୀନ ହୋଇଥିବା ଦଳମାନଙ୍କ ମଧ୍ୟରେ ଭାରତୀୟ ଜନ କ୍ରାନ୍ତି ପାର୍ଟି, ହମାରୀ ଜନମଞ୍ଚ ପାର୍ଟି, ମୈଦାନୀ କ୍ରାନ୍ତି ଦଳ, ରାଷ୍ଟ୍ରୀୟ ଜନ ସହାୟ ଦଳ, ଉତ୍ତରାଖଣ୍ଡ ଜନଶକ୍ତି ପାର୍ଟି, ଭାରତୀୟ ମୂଳ ନିବାସୀ ସମାଜ ପାର୍ଟି, ଭାରତୀୟ ଅନ୍ତ୍ୟୋଦୟ ପାର୍ଟି, ଭାରତୀୟ ଗ୍ରାମ ନଗର ବିକାଶ ପାର୍ଟି ଓ ଗୋର୍ଖା ଡେମୋକ୍ରାଟିକ୍ ଫ୍ରଣ୍ଟ ଭଳି ଦଳ ସାମିଲ ଅଛନ୍ତି। ଏହାଛଡ଼ା ହରିଦ୍ୱାର, ପୌଡ଼ି ଗଡ଼ୱାଳ ଓ ନୈନିତାଲ ଜିଲ୍ଲାର ଆଉ କେତେକ ଦଳ ମଧ୍ୟ ଏହି ତାଲିକାରେ ରହିଛନ୍ତି।
ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପ କେବଳ ଉତ୍ତରାଖଣ୍ଡରେ ସୀମିତ ନୁହେଁ। ସମଗ୍ର ଦେଶରେ ନିଷ୍କ୍ରିୟ, ଅକାର୍ଯ୍ୟକ୍ଷମ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ଥିବା ୮୦୦ରୁ ଅଧିକ ପଞ୍ଜୀକୃତ ଅଣସ୍ୱୀକୃତ ରାଜନୈତିକ ଦଳ ବିରୋଧରେ ଯାଞ୍ଚ ଅଭିଯାନ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଉତ୍ତରାଖଣ୍ଡରେ ଏପରି ୪୨ଟି ପଞ୍ଜୀକୃତ ଅଣସ୍ୱୀକୃତ ଦଳ ଥିଲେ। ଏପରିସ୍ଥିତିରେ, ୨୦୨୭ ନିର୍ବାଚନକୁ ଆଖି ଆଗରେ ରଖି ଆଉ ୬ଟି ନୂତନ ରାଜନୈତିକ ସଂଗଠନ ପଞ୍ଜୀକରଣ ପାଇଁ ଆବେଦନ କରିଥିବା ସୂଚନା ମିଳିଛି।
