Home Featuredହୀରାକୁଦ ଜଳସ୍ତର ବଢ଼ୁଛି, ସୀମାନ୍ତ ଗାଁରେ ପୁଣି ବନ୍ୟା ଆଶଙ୍କା

ହୀରାକୁଦ ଜଳସ୍ତର ବଢ଼ୁଛି, ସୀମାନ୍ତ ଗାଁରେ ପୁଣି ବନ୍ୟା ଆଶଙ୍କା

by Sunita Jena
0 comments

ହୀରାକୁଦ ଜଳଭଣ୍ଡାରରେ ପୁଣି ବଢ଼ିଲାଣି ପାଣି। ଜଳସ୍ତର ୬୨୭ ଫୁଟ ଅତିକ୍ରମ କରି ୬୨୮ ଫୁଟ ଆଡ଼କୁ ମୁହାଁଇଛି। ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି। ଫଳରେ ଝାରସୁଗୁଡ଼ା ଜିଲ୍ଲାର ମହାନଦୀ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ପୁଣି ବନ୍ୟା ଭୟ ଦେଖାଦେଇଛି। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୫୨ ଫୁଟରେ ପହଞ୍ଚିଥିଲା। ଏହା ସହିତ ଜଳଭଣ୍ଡାରକୁ ପାଣି ପ୍ରବେଶର ଗତି ମଧ୍ୟ ବଢ଼ିଛି। ଅପରାହ୍ଣ ୩ଟାରେ ପ୍ରାୟ ୧ ଲକ୍ଷ ୭୫ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ୧ ଲକ୍ଷ ୯୨ ହଜାର ୮୫୨ କ୍ୟୁସେକ୍‌ରୁ ଅଧିକ ହୋଇଥିଲା।

ବର୍ତ୍ତମାନ ହୀରାକୁଦର ୭ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି। ମୋଟ ପ୍ରାୟ ୧ ଲକ୍ଷ ୪୮ ହଜାର ୩୮୭ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ତେବେ ଜଳଭଣ୍ଡାରକୁ ଆସୁଥିବା ପାଣି ତୁଳନାରେ ନିଷ୍କାସନ କମ୍ ଥିବାରୁ ପ୍ରତି ସେକେଣ୍ଡରେ ବହୁ ପରିମାଣର ପାଣି ସଞ୍ଚିତ ହେଉଛି। ଏହାର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତର ସୁଖାସୋଢ଼ା, ସେମିଲିଆ, ତିଲିଗି, ମୁହୁଦି ଓ ମହୁଲପାଲି ଭଳି ଗାଁ ନିକଟରେ ହୀରାକୁଦର ପଛୁଆ ପାଣି ପହଞ୍ଚିବାକୁ ଲାଗିଛି। ଉପରମୁଣ୍ଡର ଝାରସୁଗୁଡ଼ା ଲଖନପୁର ଅଞ୍ଚଳ ସମେତ ଛତିଶଗଡ଼ର କିଛି ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଛି। ମହାନଦୀର ଜଳସ୍ତର ବଢ଼ୁଥିବାରୁ ସୀମାନ୍ତ ଗାଁଗୁଡ଼ିକ ପାଇଁ ବିପଦ ବଢ଼ିଛି।

ଅନ୍ୟପଟେ, ହୀରାକୁଦର ରୁଲ୍‌କର୍ଭ ଅନୁଯାୟୀ ସେପ୍ଟେମ୍ବର ୧ ସୁଦ୍ଧା ଜଳସ୍ତର ୬୧୯ରୁ ୬୨୭ ଫୁଟ ମଧ୍ୟରେ ରହିବା କଥା। କିନ୍ତୁ ଉପରମୁଣ୍ଡରେ ବର୍ଷା ଓ ପାଣିପାଗର ଅନିଶ୍ଚିତତା ଯୋଗୁଁ ଜଳଭଣ୍ଡାର ପରିଚାଳନା ନେଇ ଚିନ୍ତା ବଢ଼ିଛି। ଗତ ଜୁଲାଇରେ ତଳମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ହୀରାକୁଦ ଜଳସ୍ତର ନିୟନ୍ତ୍ରଣ କରାଯାଇଥିଲା। ପରେ ଏକାଥରକେ ୨୨ଟି ଗେଟ୍ ଖୋଲାଯାଇ ଅଗଷ୍ଟ ୯ ସୁଦ୍ଧା ଜଳସ୍ତର ପ୍ରାୟ ୬୧୩ ଫୁଟକୁ ହ୍ରାସ କରାଯାଇଥିଲା।

ଏବେ ପୁଣି ଜଳସ୍ତର ୬୨୮ ଫୁଟ ନିକଟତର ହେଉଥିବାରୁ ଚିନ୍ତା ବଢ଼ିଛି। ଯଦି ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଜାରି ରହେ, ତେବେ ଝାରସୁଗୁଡ଼ା ସୀମାନ୍ତର ଏହି ୫ଟି ଗାଁ ପୁଣି ବନ୍ୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏବେ ସମସ୍ତଙ୍କ ନଜର ହୀରାକୁଦ ଜଳସ୍ତର ଓ ଆଗାମୀ ବର୍ଷା ଉପରେ।

You may also like

Leave a Comment