ଓଡ଼ିଶାରେ ମୌସୁମୀ ବର୍ଷା ପୁଣି ଜୋର ଧରିଛି। ମୌସୁମୀ ଟ୍ରଫ୍ ସକ୍ରିୟ ଥିବାରୁ ଆସନ୍ତା କିଛି ଦିନ ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଏକାଧିକ ଜିଲ୍ଲାକୁ ହଳଦିଆ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ହଳଦିଆ ସତର୍କତା ଜାରି କରାଯାଇଛି।
ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ଅନେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି। ଲୋକଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ପ୍ରବଳ ବର୍ଷା ସମୟରେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ତାଳଚେରରେ ସର୍ବାଧିକ ୮ ସେଣ୍ଟିମିଟର, ହିଞ୍ଜିଳି ଓ ବାସୁଦେବପୁରରେ ୭ ସେଣ୍ଟିମିଟର ଲେଖାଯାଇଥିବାବେଳେ ରାଉରକେଲା, ଆସିକା, କଳମପୁର ଓ ରେଢ଼ାଖୋଲରେ ୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ଯାତାୟାତ ବାଧା, ଦୃଶ୍ୟମାନତା ହ୍ରାସ, କଚ୍ଚା ରାସ୍ତାର କ୍ଷତି ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ସାଧାରଣ ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳ ଏଡ଼ାଇବା, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଏବଂ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।
