Home Odishaଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଡ଼ ବଳ; ୧୦ଟି ଏମ୍‌ଓୟୁ ସ୍ୱାକ୍ଷର, ଟ୍ରମା କେୟାରରୁ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ହେବ ଆମୂଳଚୂଳ ପରିବର୍ତ୍ତନ

ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଡ଼ ବଳ; ୧୦ଟି ଏମ୍‌ଓୟୁ ସ୍ୱାକ୍ଷର, ଟ୍ରମା କେୟାରରୁ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ହେବ ଆମୂଳଚୂଳ ପରିବର୍ତ୍ତନ

by Shubham Kumar
0 comments

ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷ୍ଠାନ ସହ ୧୦ଟି ବୁଝାମଣାପତ୍ର (MoU) ସ୍ୱାକ୍ଷର କରାଯାଇଛି। ଏହି ଚୁକ୍ତିଗୁଡ଼ିକ ମାଧ୍ୟମରେ ଟ୍ରମା କେୟାର, ମେଡିକାଲ ଶିକ୍ଷା, ଆଧୁନିକ ଲାବୋରେଟୋରି ସେବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯିବ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ଚୁକ୍ତିଗୁଡ଼ିକ ରୋଗୀ ସେବାର ମାନ ବୃଦ୍ଧି ସହ ଚିକିତ୍ସା ଶିକ୍ଷା ଓ ନିଦାନ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରିବ।

ମନ୍ତ୍ରୀ କହିଛନ୍ତି, ୧୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ବିଶେଷକରି ଟ୍ରମା କେୟାରକୁ ଆହୁରି ସଶକ୍ତ କରିବା ପାଇଁ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ସହ ହୋଇଥିବା ଚୁକ୍ତି ଓଡ଼ିଶା ପାଇଁ ଏକ ବଡ଼ ସଫଳତା। ଏହା ମାଧ୍ୟମରେ ଆୟୁଷ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ପ୍ରୋତ୍ସାହନ ଦେବା ସହ ଉଚ୍ଚମାନର ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥା ବିକଶିତ କରାଯିବ।

ସ୍ୱାସ୍ଥ୍ୟସେବାର ମୌଳିକ ସୁବିଧା ବୃଦ୍ଧି ପାଇଁ ବେସରକାରି କ୍ଷେତ୍ରର ସହଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମନ୍ତ୍ରୀ ଆଦାନୀ ଗ୍ରୁପ୍‌କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ବିଶ୍ରାମାଗାର ନିର୍ମାଣ କରିବାକୁ ସଂସ୍ଥା ପକ୍ଷରୁ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି।

ଏହା ସହିତ ରାଜ୍ୟର ଜିଲ୍ଲା ଓ ଉପଖଣ୍ଡ ସ୍ତରର ଲାବୋରେଟୋରିଗୁଡ଼ିକୁ ଆଧୁନିକୀକରଣ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିପାଇଁ ନୂତନ ଯନ୍ତ୍ରପାତି, ଉନ୍ନତ ପରୀକ୍ଷା ବ୍ୟବସ୍ଥା ଓ ଦକ୍ଷ ମାନବ ସମ୍ପଦ ବିକାଶ କରାଯିବ, ଯାହା ଫଳରେ ରୋଗ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ଅଧିକ ଦ୍ରୁତ ଏବଂ ନିର୍ଭୁଲ ହେବ।

ରାଜ୍ୟ ସରକାରଙ୍କ ମତାନୁସାରେ, ଏହି ୧୦ଟି ଏମ୍‌ଓୟୁ କେବଳ ଭିତ୍ତିଭୂମି ବିକାଶରେ ସୀମିତ ରହିବ ନାହିଁ; ବରଂ ମେଡିକାଲ ଶିକ୍ଷାର ବିସ୍ତାର, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି, ଉନ୍ନତ ନିଦାନ ସେବା ଏବଂ ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ବିଶେଷ ସହାୟକ ହେବ। ନୂତନ ମେଡିକାଲ ପ୍ରତିଷ୍ଠାନ ସ୍ଥାପନ, ଆଧୁନିକ ଚିକିତ୍ସା ସୁବିଧାର ବିକାଶ ଓ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ନୂଆ ଦିଗ ଦେବା ସହ ସହର ଓ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବ ବୋଲି ଆଶା କରାଯାଉଛି।

You may also like

Leave a Comment