ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗ ସହ ଜଡ଼ିତ ମାମଲାରେ ସୌରିନ୍ ଭଟ୍ଟଙ୍କ ପାଇଁ ଆଇନଗତ ସମସ୍ୟା ଆହୁରି ବଢ଼ିଛି। ତାଙ୍କ ବିରୋଧରେ ନିମ୍ନ ଅଦାଲତ ଜାରି କରିଥିବା ଜାମିନବିହୀନ ପରୱାନା (NBW) ଉପରେ ହାଇକୋର୍ଟ ପୂର୍ବରୁ ଦେଇଥିବା ରହିତାଦେଶକୁ ହଟାଇଦେଇଛନ୍ତି।ନିମ୍ନ ଅଦାଲତରେ ନିର୍ଦ୍ଧାରିତ ସମୟରେ ହାଜର ନହେବା ଏବଂ ବାରମ୍ବାର ସମୟ ନିଆଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ପୂର୍ବରୁ ରହିତାଦେଶ ଦେବା ସମୟରେ ସୌରିନ୍ଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା। ତାଙ୍କ ପକ୍ଷରୁ ନିର୍ଦ୍ଧାରିତ ତାରିଖରେ ହାଜର ହେବା ନେଇ ଅଦାଲତକୁ ଅବଗତ କରାଯାଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇନଥିବାରୁ ରହିତାଦେଶ ହଟାଯାଇଛି।
ଏହାପରେ ସୌରିନ୍ଙ୍କୁ ଅଦାଲତରେ ହାଜର କରାଇବା ନେଇ ନିମ୍ନ ଅଦାଲତ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଫଳରେ ତାଙ୍କୁ ଗିରଫ କରିବାର ଆଇନଗତ ପଥ ପୁଣି ଖୋଲିଛି।ଅନ୍ୟପଟେ, କଟକ ପୁଲିସ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି। ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସୌରିନ୍ଙ୍କ ବାସସ୍ଥାନ ପଶ୍ଚିମବଙ୍ଗର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବାରୁ ସେଠାକାର ପୁଲିସକୁ ମଧ୍ୟ କଟକ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆବଶ୍ୟକ ହେଲେ ସ୍ଥାନୀୟ ପୁଲିସର ସହଯୋଗରେ ତାଙ୍କୁ ଖୋଜିବା ଏବଂ ଅଦାଲତରେ ହାଜର କରାଇବା ପାଇଁ ପଦକ୍ଷେପ ନିଆଯାଇପାରେ। ଏବେ ଏହି ମାମଲାରେ ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି।
