Home Odishaଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ

ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ

by Gulshan Pandey
0 comments

ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ; ସମୁଦ୍ର ହେଉଛି ସମୃଦ୍ଧି ଓ ପ୍ରଗତିର ପ୍ରବେଶ ପଥ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ ଜୁନ୍: ଲୋକସେବା ଭବନରେ ଆଜି ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକର ଉଦ୍‌ଘାଟନ ହୋଇଛି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଏହି ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ ଓଡ଼ିଶାରେ ଆୟୋଜିତ ହୋଇଥିବାରୁ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।

ବୈଠକକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ, ବରଂ ଏହା ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ। ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ଆର୍ଥିକ ପ୍ରଗତିର ମୂଳ ଆଧାର ବୋଲି ସେ ମତ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀକୁ ଇଣ୍ଡୋ-ପାସିଫିକ୍ ଶତାବ୍ଦୀ ଭାବେ ଦେଖାଯାଉଛି ଏବଂ ଭାରତ ଏବେ ବିଶ୍ୱର ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଏପରି ଉଚ୍ଚସ୍ତରୀୟ ବୈଠକ ଓଡ଼ିଶାରେ ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଓଡ଼ିଶାର ସାମୁଦ୍ରିକ ଐତିହ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳ ରହିଛି। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ସମୁଦ୍ରପଥରେ ଦକ୍ଷିଣ-ପୂର୍ବ ଏସିଆ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାର ସ୍ମୃତି ବହନ କରୁଛି ବାଲିଯାତ୍ରା ଉତ୍ସବ।

ସେ କହିଥିଲେ ଯେ, ରାଜ୍ୟରେ ଗଞ୍ଜାମରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି, ଯାହା ଓଡ଼ିଶାର ସାମୁଦ୍ରିକ ରଣନୀତିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିବ।

ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI), ଅନମ୍ୟାନ୍ଡ ସିଷ୍ଟମ ଓ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥାର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାଛଧରା ଡଙ୍ଗାରେ ‘ନଭମିତ୍ର’ ଟ୍ରାନ୍ସପଣ୍ଡର ସ୍ଥାପନ ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ।

ବୈଠକରେ ଯୋଗଦେଇ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ବିଶ୍ବଜିତ ଦାସଗୁପ୍ତା କହିଥିଲେ ଯେ, ସାମୁଦ୍ରିକ ସୁରକ୍ଷା ପାଇଁ କୌଣସି ଏକକ ମଡେଲ୍ କାର୍ଯ୍ୟକାରୀ ନୁହେଁ। ବିଭିନ୍ନ ମଡେଲକୁ ସମନ୍ୱୟ କରି ଏକ ସୁଦୃଢ଼ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ସାମୁଦ୍ରିକ ସୁରକ୍ଷା କେବଳ ସାମରିକ କିମ୍ବା ସୁରକ୍ଷାଗତ ଦୃଷ୍ଟିକୋଣରେ ସୀମିତ ନୁହେଁ। ଉପକୂଳ ଅଞ୍ଚଳ ସହ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପଗୁଡ଼ିକର ସୁରକ୍ଷା ଓ ବିକାଶ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ. ବି. ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସଭା ଆରମ୍ଭରେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବୈଠକରେ ଦେଶର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଉପକୂଳ ସୁରକ୍ଷା, ସାଇବର ଚ୍ୟାଲେଞ୍ଜ ଏବଂ ବ୍ଲୁ ଇକୋନୋମିର ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା।

You may also like

Leave a Comment