ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଦେଖିବାକୁ ବଣମଣିଷ ବା ଓରାଙ୍ଗଉଟାନ ଭଳି ଲାଗୁଥିବା ଏହି ଜୀବଗୁଡ଼ିକର ପ୍ରକୃତ ପରିଚୟକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି। ଜଙ୍ଗଲ ନିକଟବର୍ତ୍ତୀ ଲୋକେ ପ୍ରଥମେ ଏହି ଜୀବମାନଙ୍କୁ ଦେଖିଥିବା କୁହାଯାଉଛି। ଗଛ ମଧ୍ୟରେ ସେମାନଙ୍କ ଚଳପ୍ରଚଳ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳ ନିକଟରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଅନେକେ ଦୂରରୁ ଜୀବଗୁଡ଼ିକୁ ଦେଖିବା ସହ ମୋବାଇଲରେ ଫଟୋ ଓ ଭିଡିଓ କରିଥିଲେ।
ସୂଚନା ପାଇବା ପରେ ଉଦୟପୁର ବନପାଳ ସଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଥିଲା। ପରିସ୍ଥିତିକୁ ନଜରରେ ରଖି ଜୀବଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ଉଦୟପୁର ବନପାଳ କାର୍ଯ୍ୟାଳୟକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଏହି ୫ଟି ଜୀବ ପ୍ରକୃତରେ କେଉଁ ପ୍ରଜାତିର? ପ୍ରଥମ ଦୃଷ୍ଟିରେ ଓରାଙ୍ଗଉଟାନ ଭଳି ଦେଖାଯାଉଥିଲେ ମଧ୍ୟ ଏହା ନିଶ୍ଚିତ ହୋଇନାହିଁ। ବନ ବିଭାଗ ପକ୍ଷରୁ ଏହାର ପ୍ରଜାତି, ଶାରୀରିକ ସ୍ଥିତି ଏବଂ ଏମାନେ କେଉଁଠାରୁ ଆସିଲେ ସେନେଇ ଯାଞ୍ଚ କରାଯାଉଛି।
ବିଶେଷଜ୍ଞଙ୍କ ଯାଞ୍ଚ ପରେ ଏହି ଜୀବଗୁଡ଼ିକର ପ୍ରକୃତ ପରିଚୟ ସ୍ପଷ୍ଟ ହୋଇପାରେ। ଯଦି ଏମାନେ ଓରାଙ୍ଗଉଟାନ ହୋଇଥାନ୍ତି, ତେବେ ବିଚିତ୍ରପୁର ଜଙ୍ଗଲକୁ ଏମାନେ କିପରି ଆସିଲେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। କାରଣ ଓରାଙ୍ଗଉଟାନ ଭାରତୀୟ ଜଙ୍ଗଲର ସ୍ୱାଭାବିକ ପ୍ରଜାତି ନୁହେଁ। ଅନ୍ୟପଟେ, ଲୋକଙ୍କ ଭିଡ଼ ଯୋଗୁଁ ଜୀବଗୁଡ଼ିକ ଯେପରି ଭୟଭୀତ ନହୁଅନ୍ତି ଏବଂ ସେମାନଙ୍କ ସୁରକ୍ଷା ବିପନ୍ନ ନହୁଏ, ସେଥିପାଇଁ ବନ ବିଭାଗ ମଧ୍ୟ ସତର୍କ ରହିଛି। ଯାଞ୍ଚ ଶେଷ ହେବା ପରେ ଏହି ରହସ୍ୟମୟ ଜୀବଗୁଡ଼ିକ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
