Home Featuredତିଖିରୀ ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ | ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ମତଦାନ

ତିଖିରୀ ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ | ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ମତଦାନ

by Sunita Jena
0 comments

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ର ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ମତଦାନ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟରେ ଏହି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ତିଖିରୀ ପଞ୍ଚାୟତରେ ମୋଟ ୨୨ ଜଣ ୱାର୍ଡ ସଭ୍ୟ ଥିବାବେଳେ, ସେଥିରୁ ୨୧ ଜଣ ସଭ୍ୟ ଗତ ଜୁଲାଇ ୨୩ ତାରିଖରେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ପରେ ଉପଜିଲ୍ଲାପାଳଙ୍କ ପକ୍ଷରୁ ସଭ୍ୟମାନଙ୍କ ଦସ୍ତଖତ ଯାଞ୍ଚ କରାଯାଇ ଅଗଷ୍ଟ ୧୩ରେ ଅନାସ୍ଥା ବୈଠକ ଓ ମତଦାନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

ଏହି ମଧ୍ୟରେ ସରପଞ୍ଚ ଚାମେଲି ଓଝା ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ୧୩ରେ ବୈଠକ ଓ ଭୋଟିଂ କରାଯାଉଛି। ତେବେ ମାମଲାର ଚୂଡ଼ାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ଭୋଟର ଫଳାଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ରହିଛି।ନିର୍ଦ୍ଧାରିତ ସମୟରେ ୱାର୍ଡ ସଭ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ଡେରାବିଶ ତହସିଲଦାର ସରୋଜକାନ୍ତ ନାୟକ ବୈଠକ ପରିଚାଳନା କରୁଛନ୍ତି। ସରପଞ୍ଚ ମଧ୍ୟ କାର୍ଯ୍ୟାଳୟରେ ପହଞ୍ଚି ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶର କପି ପ୍ରଶାସନକୁ ଦେଇଛନ୍ତି। ସେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଥିବା ଜଣାପଡ଼ିଛି।

ଅନାସ୍ଥା ଭୋଟିଂକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପୁଲିସ ମୁତୟନ କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ଅଦାଲତଙ୍କ ଚୂଡ଼ାନ୍ତ ରାୟ ଏବଂ ଏହି ଅନାସ୍ଥା ପ୍ରସ୍ତାବର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

You may also like

Leave a Comment