ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜୁରିଆପାଟଣା ଓ ଦ୍ୱାରିକା ଅଞ୍ଚଳରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ମିଳିଥିବା ସୂଚନା ଅନୁସାରେ, ଜୁରିଆପାଟଣା ଗ୍ରାମର ଅରୁଣ ଦଳେଇଙ୍କ ପତ୍ନୀ ସୁକାନ୍ତି ଦଳେଇ (୪୬) ଭୋର ପ୍ରାୟ ୫ଟା ସମୟରେ ନିକଟସ୍ଥ ଦ୍ୱାରିକା ସାଧୁବାବୁ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ପଛପଟୁ ଏକ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି।
ସେହିପରି, ଦ୍ୱାରିକା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ପୁଅ ଦିଲ୍ଲୀପ ବାରିକ (୩୫) ଚାଷ ଜମିକୁ ଯାଉଥିବା ବେଳେ ମହାବଳପଦା ନିକଟସ୍ଥ ପୋଖରୀ ପାଖରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ।ଭାଲୁ ଆକ୍ରମଣରେ ଉଭୟ ରକ୍ତାକ୍ତ ଓ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଫକୀର ମୋହନ ମେଡିକାଲ କଲେଜକୁ ରେଫର କରାଯାଇଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଛି। ବନ ବିଭାଗ ପକ୍ଷରୁ ଭାଲୁଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବା ଜରୁରୀ ହୋଇପଡ଼ିଛି।
