Home Featured୪ ବର୍ଷର ଶିଶୁର ଫୁସଫୁସରୁ ବାହାରିଲା LED ବଲ୍‌ବ; ବଡ଼ ଅସ୍ତ୍ରୋପଚାର ବିନା ସଫଳ ଚିକିତ୍ସା କଲେ KIMS ଡାକ୍ତର

୪ ବର୍ଷର ଶିଶୁର ଫୁସଫୁସରୁ ବାହାରିଲା LED ବଲ୍‌ବ; ବଡ଼ ଅସ୍ତ୍ରୋପଚାର ବିନା ସଫଳ ଚିକିତ୍ସା କଲେ KIMS ଡାକ୍ତର

by Lokanath Panigrahi
0 comments

ଭୁବନେଶ୍ୱର: ଚାରି ବର୍ଷର ଜଣେ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇବାରେ ସଫଳତା ହାସଲ କରିଛନ୍ତି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS)ର ଚିକିତ୍ସକ ଦଳ। ଶିଶୁଟିର ଫୁସଫୁସ ଭିତରେ ଅଟକି ରହିଥିବା ଏକ କ୍ଷୁଦ୍ର LED ବଲ୍‌ବକୁ ଅତ୍ୟାଧୁନିକ ହାଇବ୍ରିଡ୍ ବ୍ରୋଙ୍କୋସ୍କୋପି ପ୍ରଯୁକ୍ତି ମାଧ୍ୟମରେ ବଡ଼ ଅସ୍ତ୍ରୋପଚାର ବିନା ସଫଳତାର ସହ ବାହାର କରାଯାଇଛି।

ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶୁଟି ଖେଳୁଥିବା ସମୟରେ ଭୁଲବଶତଃ ଏକ ଛୋଟ LED ବଲ୍‌ବ ଶ୍ୱାସନଳୀ ଦେଇ ଫୁସଫୁସ ଭିତରକୁ ପ୍ରବେଶ କରିଥିଲା। ପୂର୍ବରୁ ଅନ୍ୟ ଏକ ହସ୍ପିଟାଲରେ ଏହାକୁ ବାହାର କରିବାର ଚେଷ୍ଟା ସଫଳ ହୋଇନଥିଲା। ପ୍ରାୟ ଆଠ ଦିନ ଧରି କାଶରେ ପୀଡ଼ିତ ରହିବା ପରେ ଶିଶୁଟିକୁ KIMSକୁ ରେଫର୍ କରାଯାଇଥିଲା।

CT ସ୍କାନ୍‌ରେ ଜଣାପଡ଼ିଥିଲା ଯେ ବଲ୍‌ବଟି ଡାହାଣ ଫୁସଫୁସର ତଳ ଭାଗର ଏକ ସରୁ ଶ୍ୱାସନଳୀରେ ଅଟକି ରହିଛି। ସାଧାରଣତଃ ଏପରି ଅବସ୍ଥାରେ ବଡ଼ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥାଏ। କିନ୍ତୁ KIMSର ENT, ପଲ୍ମୋନୋଲୋଜି ଓ ଆନେସ୍ଥେସିଆ ବିଭାଗର ବିଶେଷଜ୍ଞମାନେ ରିଜିଡ୍ ଏବଂ ଫ୍ଲେକ୍ସିବଲ୍ ବ୍ରୋଙ୍କୋସ୍କୋପିକୁ ମିଶାଇ ବ୍ୟବହାର କରି ସଫଳତାର ସହ ବଲ୍‌ବଟିକୁ ବାହାର କରିଥିଲେ।

ଏହି ଜଟିଳ ପ୍ରକ୍ରିୟାର ନେତୃତ୍ୱ ENT ବିଭାଗର ପ୍ରଫେସର ଡା. ପ୍ରଦୀପ୍ତ ରଞ୍ଜନ ସାହୁ ଓ ସହକାରୀ ପ୍ରଫେସର ଡା. ମନୀଷା ମଲ୍ଲିକ ନେଇଥିବାବେଳେ ଆନେସ୍ଥେସିଆ ବିଭାଗର ଡା. ବସନ୍ତ କୁମାର ବେହେରା ଏବଂ ପଲ୍ମୋନୋଲୋଜି ବିଶେଷଜ୍ଞ ଡା. ସ୍ୱଦୀପ ମିଶ୍ର ମଧ୍ୟ ସହଯୋଗ କରିଥିଲେ। ଅସ୍ତ୍ରୋପଚାର ପରେ ଶିଶୁଟି ଶୀଘ୍ର ସୁସ୍ଥ ହୋଇ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରିଥିଲା ଏବଂ ପରେ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲା।

ଚିକିତ୍ସକମାନେ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଛୋଟ ପିଲାଙ୍କ ଆଖପାଖରେ LED ବଲ୍‌ବ, ବଟନ୍ ବ୍ୟାଟେରି, ଛୋଟ ଧାତବ ବସ୍ତୁ କିମ୍ବା ସହଜରେ ଗିଳିଦେଇପାରୁଥିବା ଜିନିଷ ରଖନ୍ତୁ ନାହିଁ। ଯଦି କୌଣସି ବାହ୍ୟ ବସ୍ତୁ ଶ୍ୱାସନଳୀ କିମ୍ବା ଫୁସଫୁସ ଭିତରକୁ ପ୍ରବେଶ କରିଥିବା ସନ୍ଦେହ ହୁଏ, ତେବେ ବିଳମ୍ବ ନକରି ତୁରନ୍ତ ବିଶେଷଜ୍ଞ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ।

You may also like

Leave a Comment