ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ରାଜ୍ୟର ସାତଟି ପୁନଃବିକଶିତ ରେଳ ଷ୍ଟେସନ୍କୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ଏହି ସାତଟି ଷ୍ଟେସନ୍ ହେଲା ତାଳଚେର, ବଲାଙ୍ଗୀର, ବରପାଲି, କେସିଙ୍ଗା, ପାରଳାଖେମୁଣ୍ଡି, ବିମଳାଗଡ଼ ଓ ବାରିପଦା।
ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହା ରାଜ୍ୟର ରେଳ ଭିତ୍ତିଭୂମିର ପରିବର୍ତ୍ତନ ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ। ନବୀକରଣ କରାଯାଇଥିବା ଏହି ଷ୍ଟେସନ୍ଗୁଡ଼ିକରେ ଆଧୁନିକ ଯାତ୍ରୀ ସୁବିଧା, ଦିବ୍ୟାଙ୍ଗ-ଅନୁକୂଳ ବ୍ୟବସ୍ଥା, ସୁଗମ ପ୍ରବେଶ ପଥ ଏବଂ ବିଶ୍ୱସ୍ତରୀୟ ସାର୍ବଜନିକ ପରିସରର ବ୍ୟବସ୍ଥା କରାଯାଇଛି। ଫଳରେ ଯାତ୍ରୀମାନଙ୍କର ଭ୍ରମଣ ଅନୁଭୂତି ଅଧିକ ସୁବିଧାଜନକ ଓ ଆରାମଦାୟକ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଷ୍ଟେସନ୍ଗୁଡ଼ିକ କେବଳ ରେଳ ଯାତ୍ରାକୁ ସହଜ କରିବ ନାହିଁ, ବରଂ ଆଞ୍ଚଳିକ ସଂଯୋଗକୁ ମଜବୁତ କରିବା ସହ ସ୍ଥାନୀୟ ବାଣିଜ୍ୟ, ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ନୂଆ ଗତି ପ୍ରଦାନ କରିବ। ଏହା ମାଧ୍ୟମରେ ଓଡ଼ିଶାର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ସେମାନଙ୍କର ଦୂରଦର୍ଶୀ ନେତୃତ୍ୱ ଓ ରେଳ ଭିତ୍ତିଭୂମିର ଆଧୁନିକୀକରଣ ପ୍ରତି ଦୃଢ଼ ପ୍ରତିବଦ୍ଧତା ଓଡ଼ିଶାକୁ ନୂଆ ଦିଗ ଦେଉଛି। ଏଭଳି ବୃହତ୍ ବିନିଯୋଗ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଭବିଷ୍ୟତ ଉପଯୋଗୀ କରିବା ସହ ‘ସମୃଦ୍ଧ ଓଡ଼ିଶା’, ‘ବିକଶିତ ଓଡ଼ିଶା–୨୦୩୬’ ଏବଂ ‘ବିକଶିତ ଭାରତ–୨୦୪୭’ ଲକ୍ଷ୍ୟ ପୂରଣରେ ମଧ୍ୟ ସହାୟକ ହେବ।
ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଦେଶର ବିଭିନ୍ନ ରେଳ ଷ୍ଟେସନ୍କୁ ପର୍ଯ୍ୟାୟକ୍ରମେ ଆଧୁନିକ ରୂପ ଦିଆଯାଉଛି। ଏହା ମାଧ୍ୟମରେ ରେଳ ଷ୍ଟେସନ୍ଗୁଡ଼ିକୁ କେବଳ ଯାତ୍ରୀ ସୁବିଧାର କେନ୍ଦ୍ର ନୁହେଁ, ବରଂ ସ୍ଥାନୀୟ ସଂସ୍କୃତି ଓ ଅର୍ଥନୈତିକ ବିକାଶର ପ୍ରତୀକ ଭାବେ ଗଢ଼ି ତୋଳାଯାଉଛି। ଓଡ଼ିଶାର ଏହି ସାତଟି ଷ୍ଟେସନ୍ର ପୁନଃବିକାଶ ରାଜ୍ୟର ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଯାତ୍ରୀ ଓ ବ୍ୟବସାୟୀମାନଙ୍କ ପାଇଁ ବ୍ୟାପକ ସୁବିଧା ସୃଷ୍ଟି କରିବ।
