ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ଏକ ପୋଷ୍ଟର ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ, ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବାରୁ ଗାଡ଼ି ଖରାପ ହେଉଛି, ଫ୍ୟୁଏଲ ଟ୍ୟାଙ୍କରେ ପାଣି ଜମୁଛି ଏବଂ ସରକାର ଏହା ପାଇଁ କୌଣସି ଦାୟିତ୍ୱ ନେବ ନାହିଁ। ଏହି ପୋଷ୍ଟରକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ସତ୍ୟତା ସ୍ପଷ୍ଟ କରାଯାଇଛି।
ଭାଇରାଲ ପୋଷ୍ଟରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଫଟୋ ବ୍ୟବହାର କରାଯାଇଛି। ଏଥିରେ ଲେଖାଯାଇଛି ଯେ, ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ୧୫ରୁ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରାଯାଉଛି। ଇଥାନଲ ପାଣିରେ ମିଶିଯାଉଥିବାରୁ ଫ୍ୟୁଏଲ ଟ୍ୟାଙ୍କରେ ପାଣି ଓ ଆର୍ଦ୍ରତା ସୃଷ୍ଟି ହୋଇ ସମସ୍ୟା ହେଉଛି ବୋଲି ଏଥିରେ ଦାବି କରାଯାଇଛି। ଏଥିସହ ଗାଡ଼ି ଧୋଇବା ବେଳେ ସାବଧାନ ରହିବାକୁ କୁହାଯାଇଛି ଏବଂ ଗାଡ଼ିରେ ଝଟକା ଲାଗୁଥିବା କଥା ମଧ୍ୟ ଉଲ୍ଲେଖ ରହିଛି।
ଏହି ପୋଷ୍ଟର ସହ ସୋସିଆଲ ମିଡିଆ ପ୍ଲାଟଫର୍ମ Xର ଏକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ସେଥିରେ ଦାବି କରାଯାଇଛି ଯେ, E20 ପେଟ୍ରୋଲ ବ୍ୟବହାରକୁ ନେଇ ସରକାର ପେଟ୍ରୋଲ ପମ୍ପଗୁଡ଼ିକରେ ସତର୍କ ସୂଚନା ଲଗାଇଛନ୍ତି। ସେହି ପୋଷ୍ଟରେ ଆହୁରି କୁହାଯାଇଛି ଯେ, ସରକାର ଜାଣିଶୁଣି ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ବାଧ୍ୟ କରୁଛନ୍ତି।
🚨 Fake News Alert!
⚠️ Social media posts are falsely claiming that petrol pumps across India have installed hoardings cautioning customers against the use of Ethanol Blended Petrol (E20).#PIBFactCheck
❌ Beware! No such hoarding has been displayed at Retail Petrol Outlets.… pic.twitter.com/NrAyIMiT6T— PIB Fact Check (@PIBFactCheck) June 29, 2026
ତେବେ ଏହି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ କରିଛି ପ୍ରେସ ଇନଫର୍ମେସନ ବ୍ୟୁରୋ ବା PIB। PIB ନିଜର ଅଧିକୃତ X ହ୍ୟାଣ୍ଡେଲରେ ଫ୍ୟାକ୍ଟ ଚେକ୍ କରି କହିଛି ଯେ, ଦେଶର କୌଣସି ରିଟେଲ ପେଟ୍ରୋଲ ପମ୍ପରେ ଏଭଳି କୌଣସି ପୋଷ୍ଟର କିମ୍ବା ହୋର୍ଡିଂ ଲଗାଯାଇନାହିଁ। ଭାଇରାଲ ହେଉଥିବା ପୋଷ୍ଟର ଓ ଦାବି ସମ୍ପୂର୍ଣ୍ଣ ଭୁଲ।
PIB ଆହୁରି କହିଛି ଯେ, ଇଥାନଲ ମିଶ୍ରିତ ପେଟ୍ରୋଲ ଭାରତୀୟ ମାନକ ବ୍ୟୁରୋ ବା BISର ନିର୍ଦ୍ଧାରିତ ମାନକ ଅନୁଯାୟୀ ପ୍ରସ୍ତୁତ ହୁଏ। ଇଥାନଲ ଓ ପେଟ୍ରୋଲ ପରସ୍ପର ସହ ସମ୍ପୂର୍ଣ୍ଣ ଭାବେ ମିଶିଯାଏ। ମାନକ ଅନୁଯାୟୀ ପ୍ରସ୍ତୁତ ଇନ୍ଧନରେ କୌଣସି ପ୍ରକାରର ଅଲଗା ସ୍ତର କିମ୍ବା ପରତ ସୃଷ୍ଟି ହୁଏ ନାହିଁ।
PIBର ସୂଚନା ଅନୁସାରେ, ଆଧୁନିକ ଗାଡ଼ିଗୁଡ଼ିକରେ ଏଭଳି ସୁରକ୍ଷା ବ୍ୟବସ୍ଥା ରହିଛି, ଯାହା ଫ୍ୟୁଏଲ ଟ୍ୟାଙ୍କ ଭିତରକୁ ପାଣି ପ୍ରବେଶ କରିବାକୁ ରୋକିଥାଏ। ସେହିପରି E20 ପେଟ୍ରୋଲ ଆରମ୍ଭ ହେବା ପରଠାରୁ ଇଥାନଲ ମିଶ୍ରଣ କାରଣରୁ ଇଞ୍ଜିନ ନଷ୍ଟ ହେବା କିମ୍ବା ଗାଡ଼ି ଖରାପ ହେବାର କୌଣସି ଘଟଣା ସାମ୍ନାକୁ ଆସିନଥିବା PIB ସ୍ପଷ୍ଟ କରିଛି।
