ବେଆଇନ ନିଶା ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅଭିଯାନକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ନିଶା କାରବାର ଯୋଗୁଁ ସମାଜରେ ଧନଜୀବନର କ୍ଷତି ଘଟୁଥିବାରୁ ଏହାକୁ ରୋକିବା ପାଇଁ ଚଢ଼ାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଅବକାରୀ କନଷ୍ଟେବଳମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଚାକିରି କ୍ଷେତ୍ରରେ ପ୍ରଶିକ୍ଷଣ କେବଳ ଏକ ଔପଚାରିକ ପ୍ରକ୍ରିୟା ନୁହେଁ। ଏହା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସହିତ ଶୃଙ୍ଖଳା, ସଚ୍ଚୋଟତା ଓ ଦାୟିତ୍ୱବୋଧକୁ ମଜବୁତ କରିବାରେ ସହାୟକ ହୋଇଥାଏ।ତାଲିମ ମାଧ୍ୟମରେ ଅବକାରୀ କନଷ୍ଟେବଳମାନେ ଆଇନ ଓ ନିୟମ ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରି ନିଜ ଦାୟିତ୍ୱକୁ ଦକ୍ଷତାର ସହ ପାଳନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବେଆଇନ ନିଶା କାରବାରକୁ ଦମନ କରିବା ସହ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବା ଦିଗରେ ବିଭାଗର ପ୍ରୟାସ ଜାରି ରହିବ ବୋଲି ସେ ମତ ଦେଇଛନ୍ତି।
ଏହି ତାଲିମ କାର୍ଯ୍ୟକ୍ରମରେ ମୋଟ ୪୪୬ ଜଣ ଅବକାରୀ କନଷ୍ଟେବଳ ତାଲିମ ନେବେ। ପ୍ରଥମ ପର୍ଯ୍ୟାୟରେ ୧୫୦ ଜଣଙ୍କୁ ତାଲିମ ଦିଆଯିବ। ପ୍ରଶିକ୍ଷଣର ଅବଧି ୪୦ ଦିନ ରହିବ।ତାଲିମ ସମୟରେ ଅବକାରୀ ଆଇନ ଓ ନିୟମ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ, ଏନ୍ଡିପିଏସ୍ ଆଇନ ଏବଂ ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ଭଳି ବିଭିନ୍ନ ବିଷୟରେ ଶିକ୍ଷା ଦିଆଯିବ।
ଅବକାରୀ କମିଶନର ପି. ଅନ୍ଵେଷା ରେଡ୍ଡୀ ତାଲିମର ରୂପରେଖା ଏବଂ ଏହା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାରେ କିପରି ସହାୟକ ହେବ, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଦକ୍ଷ ଓ ପ୍ରଶିକ୍ଷିତ ଅବକାରୀ କର୍ମଚାରୀଙ୍କ ମାଧ୍ୟମରେ ବେଆଇନ ନିଶା କାରବାର ଉପରେ ନିୟନ୍ତ୍ରଣକୁ ଆହୁରି ସୁଦୃଢ଼ କରିବା ବିଭାଗର ମୁଖ୍ୟ ଲକ୍ଷ୍ୟ ରହିଛି।
