Home Cultureଶରଧାବାଲିରେ ତିନି ରଥ; ଆଜି ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ଶରଧାବାଲିରେ ତିନି ରଥ; ଆଜି ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

by Lokanath Panigrahi
0 comments

ପୁରୀ: ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜାରି ରହିଛି। ରଥଯାତ୍ରା ପରେ ଆଜି ସନ୍ଧ୍ୟା ଧୂପ ନୀତି ସମାପ୍ତ ହେବା ପରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପନ୍ନ ହେବ।

ପରମ୍ପରା ଅନୁଯାୟୀ, ସନ୍ଧ୍ୟା ଧୂପ ପରେ ରଥରେ ଚାରମାଳ ବନ୍ଧାଯିବ ଏବଂ କୋଠ ସୁଆସିଆଁ ସେବକମାନେ ଆଡ଼ପ ମଣ୍ଡପରେ ଆବଶ୍ୟକ ବ୍ୟବସ୍ଥା କରିବେ। ପୁଷ୍ପାଞ୍ଜଳି ପରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡିରେ ନିଆଯିବ। ଏହାପରେ କ୍ରମାନୁସାରେ ଚକ୍ରରାଜ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରାଯିବ।

ଆଡ଼ପ ମଣ୍ଡପ ବିଜେ ପରେ ଆସନ୍ତାକାଲିଠାରୁ ଭକ୍ତମାନେ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେହିପରି ଆଡ଼ପ ଅଭଡ଼ା ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ହେବ। ଅଧର ପୋଛା ନୀତି ସମ୍ପନ୍ନ ହେବା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ।

ବିଜେ ନୀତି ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ସେବାୟତ ଏବଂ ଅନ୍ୟାନ୍ୟ ନିଯୋଗମାନଙ୍କ ମଧ୍ୟରେ ସମନ୍ୱୟ ରଖାଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ରଥ ଚାରିପାଖରେ ଇନର ଓ ଆଉଟର କର୍ଡନ ବ୍ୟବସ୍ଥା ସହ ସଶସ୍ତ୍ର ଓ ସାଧା ପୋଷାକଧାରୀ ପୁଲିସ ମୁତୟନ କରାଯାଇଛନ୍ତି।

ଆଡ଼ପ ମଣ୍ଡପ ଦର୍ଶନ ଅବସରରେ ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ଓ ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଆସନ୍ତା କିଛି ଦିନ ଧରି ଜନ୍ମବେଦୀରେ ବିରାଜମାନ ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ପୁରୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

You may also like

Leave a Comment