ପୁରୀ: ଚଳିତ ବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୌଣସି ପ୍ରକାର ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ। ତେବେ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ଅନୁମତି ରହିବ। ରଥଯାତ୍ରା ସମୟରେ ପରିବେଶକୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
ପୁରୀ ସର୍କିଟ ହାଉସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ସହ ସହରର ପରିମଳ ବ୍ୟବସ୍ଥା, ଆଲୋକୀକରଣ, ଶୌଚାଳୟ, ପାର୍କିଂ ଏବଂ ଯାତ୍ରୀ ସୁବିଧା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଶାସନ ସୂଚନା ଅନୁଯାୟୀ, ସହରର ସମସ୍ତ ପ୍ରମୁଖ ନାଳ ସଫା କରାଯାଇଥିବାବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଡ୍ରେନ୍ ମଧ୍ୟ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୨୪ଟି ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଥିବା ସହ ସହରର ବିଭିନ୍ନ ରାସ୍ତାର ମରାମତି କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବୁଲା ଗୋରୁ ନିୟନ୍ତ୍ରଣ ପାଇଁ କାଞ୍ଜିଆହୁଦା ବ୍ୟବସ୍ଥା କରାଯାଇଥିବାବେଳେ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ୩୦ଟି ଜଳ ଜମୁଥିବା ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପସେଟ୍ ମୁତୟନ କରାଯାଇଛି।
ଏହି ବୈଠକରେ ପୁରୀ ମହାନଗର ନିଗମ କମିଶନର ସ୍ନେହା ଅରୁଗୁଳା, ସ୍ୱତନ୍ତ୍ର ସଚିବ ବିନୟ କୁମାର ଦାସ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଅଣସରକୁ ନେଇ ଆପତ୍ତିଜନକ ପୋଷ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଅନ୍ୟପକ୍ଷରେ, ମହାପ୍ରଭୁଙ୍କ ଅଣସର ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ଆପତ୍ତିଜନକ ଏଡିଟ୍ ଫଟୋ, ଭିଡିଓ ଓ କାର୍ଟୁନ୍ ବିରୋଧରେ ପୁରୀ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସ୍ୱତନ୍ତ୍ର ଅନଲାଇନ୍ ମନିଟରିଂ ଅଭିଯାନରେ ଗତ ତିନି ଦିନ ମଧ୍ୟରେ ୯୭ଟି ପୋଷ୍ଟ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ହଟାଇବା ପାଇଁ ପଦକ୍ଷେପ ନିଆଯାଇଛି।
ପୋଲିସ କହିଛି, ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା କିମ୍ବା ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା କୌଣସି କଣ୍ଟେଣ୍ଟକୁ ବରଦାସ୍ତ କରାଯିବ ନାହିଁ। ମହାପ୍ରଭୁଙ୍କ ସହ ସମ୍ପୃକ୍ତ ଫଟୋ, ଭିଡିଓ କିମ୍ବା ଅନ୍ୟାନ୍ୟ ଡିଜିଟାଲ ସାମଗ୍ରୀକୁ ଅନୁଚିତ ଭାବେ ଏଡିଟ୍ କିମ୍ବା ବିକୃତ କରି ପ୍ରସାରଣ ନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।
ସୋସିଆଲ ମିଡିଆରେ କୌଣସି ପୋଷ୍ଟ ସେୟାର କିମ୍ବା ପ୍ରକାଶ କରିବା ପୂର୍ବରୁ ତାହାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପ୍ରଭାବକୁ ବିଚାର କରିବାକୁ ପୁରୀ ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ଆପତ୍ତିଜନକ ପୋଷ୍ଟ ଉପରେ ନଜର ରଖାଯିବ ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
