ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଅନେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ, ଆଜି ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖୀ ବର୍ଷା ହୋଇପାରେ। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି ମଧ୍ୟ ଜାରି ରହିବ ବର୍ଷା
ଶୁକ୍ରବାର ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଏହାସହ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୭ ଓ ୨୮ ତାରିଖରେ ମଧ୍ୟ ସତର୍କତା
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୭ ଓ ୨୮ ତାରିଖରେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ମୌସୁମୀ ଛୁଇଁଲା ସମଗ୍ର ଓଡ଼ିଶା, ଚାଷୀଙ୍କ ମଧ୍ୟରେ ଖୁସି
ଅନ୍ୟପକ୍ଷରେ ମୌସୁମୀ ବାୟୁ ସମଗ୍ର ଓଡ଼ିଶାକୁ ଛୁଇଁଥିବାରୁ ଅଧିକାଂଶ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଏହି ବର୍ଷା ଚାଷୀମାନଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ସେମାନେ ପ୍ରସ୍ତୁତି ଜୋରଦାର କରିଛନ୍ତି।
ବିଶେଷଜ୍ଞଙ୍କ ମତରେ, ମୌସୁମୀର ସକ୍ରିୟତା ଏବଂ ଲଗାତାର ବର୍ଷା ଯୋଗୁଁ ଚଳିତ ବର୍ଷ ଖରିଫ ଚାଷ କାମ ସ୍ୱାଭାବିକ ସମୟ ଠାରୁ ଆଗୁଆ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ଚାଷୀଙ୍କ ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି କୁହାଯାଉଛି।
