ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ଡା. ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ୬୮ତମ ଜନ୍ମଦିନ ଅବସରରେ ତାଙ୍କ ପୈତୃକ ଗାଁ ପାହାଡ଼ପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଜନ୍ମଦିନକୁ ନେଇ ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି।
ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ। ବିଶେଷକରି ଜନଜାତି ସମୁଦାୟଙ୍କ ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିବେ। ଏହି କାର୍ଯ୍ୟକ୍ରମଗୁଡ଼ିକ ଜନଜାତି ଅଞ୍ଚଳର ବିକାଶ ଏବଂ ଯୁବପିଢ଼ିଙ୍କୁ ଆତ୍ମନିର୍ଭର କରିବା ଦିଗରେ ଗୁରୁତ୍ୱ ବହନ କରୁଛି।
ଏହାପରେ ଉଭୟ ନେତା ରାୟରଙ୍ଗପୁରରେ ଆୟୋଜିତ ଏକ ବୃହତ ଜନସମାବେଶରେ ଯୋଗଦେବେ। ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ସାର୍ବଜନୀନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଏହି ଅବସରରେ ୪୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଭିତ୍ତିଭୂମି, ଯୋଗାଯୋଗ, ଶିକ୍ଷା ଓ ଅନ୍ୟାନ୍ୟ ବିକାଶ କ୍ଷେତ୍ରକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଏହି ଗସ୍ତକୁ ନେଇ ମୟୂରଭଞ୍ଜ ସହ ସମଗ୍ର ରାଜ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି।
LATEST UPDATE
- ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ
- ପାହାଡ଼ପୁର ଗାଁ ପରିଦର୍ଶନ କଲେ ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀ
