Home Odishaଅନ୍ଧାରରେ ଅଧା ଓଡ଼ିଶା! ମାଛକୁଣ୍ଡ ପରେ ବାଲିମେଳାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ

ଅନ୍ଧାରରେ ଅଧା ଓଡ଼ିଶା! ମାଛକୁଣ୍ଡ ପରେ ବାଲିମେଳାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ

by Lokanath Panigrahi
0 comments

ମାଲକାନଗିରି: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ଥିବାବେଳେ, ଏବେ ମାଲକାନଗିରିର ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପରୁ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ଦୁଇ ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ର ବନ୍ଦ ହେବାରୁ ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥା ଉପରେ ଚାପ ବଢ଼ିବା ସହ କେତେକ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ବାଲିମେଳା ଜଳଭଣ୍ଡାରର କ୍ୟାଚ୍‌ମେଣ୍ଟ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ଏବଂ ଜଲାପୁଟ ଡ୍ୟାମ୍‌ରୁ ପର୍ଯ୍ୟାପ୍ତ ପାଣି ନ ଆସିବାରୁ ଜଳସ୍ତର ଦ୍ରୁତ ହ୍ରାସ ପାଇଛି। ବର୍ତ୍ତମାନ ଜଳଭଣ୍ଡାରରେ ମାତ୍ର ୧୩ ପ୍ରତିଶତ ପାଣି ଗଚ୍ଛିତ ରହିଛି। ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଜଳସମ୍ପଦ ବିଭାଗ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ଏହାର ପ୍ରଭାବରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (OHPC) ପରିଚାଳିତ ବାଲିମେଳା ପ୍ରକଳ୍ପର ୬ଟି କାର୍ଯ୍ୟକ୍ଷମ ୟୁନିଟ୍ ବନ୍ଦ ରହିଛି। ଏହି ୬ଟି ୟୁନିଟ୍‌ରୁ ପ୍ରତିଘଣ୍ଟା ୩୭୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା। ପ୍ରକଳ୍ପର ମୋଟ ୮ଟି ୟୁନିଟ୍ ମଧ୍ୟରୁ ୨ଟି ପୂର୍ବରୁ ମରାମତି ପାଇଁ ବନ୍ଦ ରହିଥିଲା।

ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବାଲିମେଳା ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୧୫୧୬ ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହା ୧୪୫୫.୬୦ ଫୁଟକୁ ଖସି ଆସିଛି। ଗତବର୍ଷ ଏହି ସମୟରେ ଜଳଭଣ୍ଡାରରେ ୧୯.୯୪ ପ୍ରତିଶତ ପାଣି ଥିଲା। ସେତେବେଳେ କ୍ୟାଚ୍‌ମେଣ୍ଟ ଅଞ୍ଚଳରେ ୭୭୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ୫୧୯ ମିଲିମିଟର ବର୍ଷା ହୋଇଛି, ଅର୍ଥାତ୍ ୨୫୯ ମିଲିମିଟର କମ୍ ବର୍ଷା ହୋଇଛି।

ଅନ୍ୟପକ୍ଷରେ, ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡ ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ପୂର୍ବରୁ ବନ୍ଦ ରହିଛି। ଏହାସହ ଜଲାପୁଟ ଡ୍ୟାମ୍‌ରୁ ବାଲିମେଳାକୁ ପର୍ଯ୍ୟାପ୍ତ ପାଣି ନ ଆସିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି।

OHPCର ଅଧୀକ୍ଷଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ କହିବାନୁସାରେ, ଜଳଭଣ୍ଡାରର ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବ ନାହିଁ। ବର୍ତ୍ତମାନ ଜଳାଶୟରୁ ୬୦୦ କ୍ୟୁସେକ୍ ପାଣି ଛାଡ଼ାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଏହାକୁ ୨୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ାଯିବ। ଏଥିସହ ଜଲାପୁଟ ଡ୍ୟାମ୍‌ରୁ ଅଧିକ ପାଣି ଛାଡ଼ିବା ପାଇଁ ଆନ୍ଧ୍ର ପାୱାର ଜେନେରେସନ୍ କର୍ପୋରେସନ୍‌କୁ ଅନୁରୋଧ କରାଯାଇଛି।

ଜଳସ୍ତର ସନ୍ତୋଷଜନକ ସ୍ଥିତିକୁ ଫେରିଲେ ପୁନର୍ବାର ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପରେ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବ ବୋଲି ସମ୍ପୃକ୍ତ ବିଭାଗ ସୂଚନା ଦେଇଛି।

You may also like

Leave a Comment