Home Featuredନନ୍ଦନକାନନରେ ୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର; ଡାଏଟ୍‌ରେ ଷ୍ଟିମ୍ ଗାଜର ଓ ବିନ୍ସ, କ୍ୱାରେଣ୍ଟାଇନ୍ ସେଲ୍‌ରେ ଲାଡର୍-ଦଉଡ଼ି

ନନ୍ଦନକାନନରେ ୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର; ଡାଏଟ୍‌ରେ ଷ୍ଟିମ୍ ଗାଜର ଓ ବିନ୍ସ, କ୍ୱାରେଣ୍ଟାଇନ୍ ସେଲ୍‌ରେ ଲାଡର୍-ଦଉଡ଼ି

by Lokanath Panigrahi
0 comments

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନ୍‌ରେ ଥିବା ୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେପ୍ଟେମ୍ବର ୧୯ରେ କରାଯାଇଥିବା କ୍ଲିନିକାଲ୍ ଆସେସମେଣ୍ଟରେ ସମସ୍ତ ଶାବକଙ୍କ ଶରୀରର ତାପମାତ୍ରା ସାଧାରଣ ରହିଥିବା ବେଳେ ଖାଦ୍ୟ ଗ୍ରହଣ ମଧ୍ୟ ସ୍ୱାଭାବିକ ରହିଛି।

ନନ୍ଦନକାନନର ହେଲଥ୍ ରିପୋର୍ଟ ଅନୁସାରେ, Male-1ର ଓଜନ ୫.୩୪ କେଜି, Male-2ର ୩.୫୬ କେଜି, Male-3ର ୩.୧ କେଜି, Female-1ର ୪.୨୮ କେଜି ଏବଂ Female-2ର ଓଜନ ୨.୧୮ କେଜି ରହିଛି। ପାଞ୍ଚ ଶାବକଙ୍କ ଆଚରଣ ଓ ଗତିବିଧି ସ୍ୱାଭାବିକ ଥିବା ସହ ମଳର ଗୁଣବତ୍ତା ମଧ୍ୟ ସାଧାରଣ ରହିଛି।

ଡାଏଟ୍‌ରେ ଷ୍ଟିମ୍ ଗାଜର ଓ ବିନ୍ସ

ଶାବକମାନଙ୍କ ଖାଦ୍ୟ ତାଲିକାରେ ପର୍ଯ୍ୟାୟକ୍ରମେ ନୂଆ ଖାଦ୍ୟ ସାମିଲ କରାଯାଉଛି। କ୍ଷୀରର ପରିମାଣ ଧୀରେ ଧୀରେ ବଢ଼ାଯାଉଥିବା ବେଳେ ଏବେ ଷ୍ଟିମ୍ କରାଯାଇଥିବା ଗାଜର ଓ ବିନ୍ସ ମଧ୍ୟ ଡାଏଟ୍‌ରେ ସାମିଲ କରାଯାଇଛି। ଆଗାମୀ ଦିନରେ ସଲିଡ୍ ଫୁଡ୍‌ର ପରିମାଣ ଧୀରେ ଧୀରେ ବଢ଼ାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଲାଡର୍ ଓ ଦଉଡ଼ିରେ ଖେଳୁଛନ୍ତି ଶାବକ

ଓରାଙ୍ଗଉଟାନ୍ ଶାବକମାନଙ୍କୁ ଅଧିକ ସକ୍ରିୟ ରଖିବା ଏବଂ ସେମାନଙ୍କ ସ୍ୱାଭାବିକ ଆଚରଣକୁ ବିକଶିତ କରିବା ପାଇଁ କ୍ୱାରେଣ୍ଟାଇନ୍ ସେଲ୍‌ର ପରିବେଶରେ ପରିବର୍ତ୍ତନ କରାଯାଇଛି। ସେଠାରେ ଲାଡର୍ ଓ ଦଉଡ଼ିର ବ୍ୟବସ୍ଥା କରାଯାଇଛି।

ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦୀପ୍ତ ମୀରାସେଙ୍କ ସୂଚନା ଅନୁସାରେ, ଶାବକମାନେ ଲାଡର୍‌ରେ ଚଢ଼ିବା ସହ ଦଉଡ଼ିରେ ଝୁଲି ରହୁଛନ୍ତି। ଏହାଦ୍ୱାରା ସେମାନଙ୍କୁ ଅଧିକ ସମୟ ସକ୍ରିୟ ରଖିବା ସହ ପ୍ରାକୃତିକ ପରିବେଶ ଭଳି ଅନୁଭୂତି ଦେବାକୁ ଉଦ୍ୟମ କରାଯାଉଛି।

ବିଶେଷଜ୍ଞ ଦଳର ପରାମର୍ଶ

ଗତ ଶନିବାର ଦିଲ୍ଲୀ ଚିଡ଼ିଆଖାନାର ଭେଟେରିନାରୀ ଅଫିସର ଏବଂ ଡେରାଡୁନ୍ ୱାଇଲ୍ଡଲାଇଫ୍ ଭେଟେରିନାରୀ କ୍ୱାରେଣ୍ଟାଇନ୍ ଫ୍ୟାସିଲିଟିର ବିଶେଷଜ୍ଞମାନେ ନନ୍ଦନକାନନ କ୍ୱାରେଣ୍ଟାଇନ୍ ଫ୍ୟାସିଲିଟି ପରିଦର୍ଶନ କରିଥିଲେ।

ବିଶେଷଜ୍ଞମାନେ ଶାବକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ ଓ ଯତ୍ନ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଆଗାମୀ ଦିନରେ ଖାଦ୍ୟର ପରିମାଣ ଧୀରେ ଧୀରେ ବଢ଼ାଇବା ସହ ସଲିଡ୍ ଫୁଡ୍ ସାମିଲ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ଏହାସହ ଶାବକମାନଙ୍କ ଶରୀରରେ କୃମି ନିୟନ୍ତ୍ରଣ ପାଇଁ ଆଇଭରମେକ୍ଟିନ୍ କିମ୍ବା ଡୋରାମେକ୍ଟିନ୍ ବ୍ୟବହାର ସମ୍ପର୍କରେ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ୫ ଶାବକଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ, ଆଚରଣ ଏବଂ ଯତ୍ନ ବ୍ୟବସ୍ଥା ଉପରେ ନିୟମିତ ନଜର ରଖାଯାଉଛି।

You may also like

Leave a Comment