ଭୁବନେଶ୍ୱର: ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର। ଏପ୍ରିଲ୍ ଓ ମେ ମାସର ଭତ୍ତା ରାଶି ଏକାଥରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯାଇଛି। ସେହିପରି ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି।
ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏପ୍ରିଲ୍ ଓ ମେ ମାସର ଭତ୍ତା ଏକାସାଙ୍ଗରେ ପ୍ରଦାନ କରାଯାଇଛି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ ପ୍ରତିଶତ ଲାଭାର୍ଥୀଙ୍କ ଖାତାକୁ ଦୁଇ ମାସର ଭତ୍ତା ରାଶି ସଫଳତାର ସହ ଜମା ହୋଇଛି। ଅବଶିଷ୍ଟ ହିତାଧିକାରୀଙ୍କ କ୍ଷେତ୍ରରେ ବ୍ୟାଙ୍କିଙ୍ଗ ଓ ବୈଷୟିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଅର୍ଥରାଶି ପ୍ରଦାନ କରାଯିବ।
ଏହି ପଦକ୍ଷେପ ଦ୍ୱାରା ବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭାର୍ଥୀମାନେ ସିଧାସଳଖ ଉପକୃତ ହୋଇଛନ୍ତି। ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଭତ୍ତା ରାଶି ପହଞ୍ଚାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କଥା ମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଲକ୍ଷାଧିକ ଦୁର୍ବଳ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସହାୟକ ହୋଇଛି।
