Home Featuredଅ-ତିଥିରେ ରଥଯାତ୍ରା ଆୟୋଜନକୁ ନେଇ ଇସ୍କନ୍‌ ବିରୋଧରେ ଅସନ୍ତୋଷ

ଅ-ତିଥିରେ ରଥଯାତ୍ରା ଆୟୋଜନକୁ ନେଇ ଇସ୍କନ୍‌ ବିରୋଧରେ ଅସନ୍ତୋଷ

by Sunita Jena
0 comments

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା ଓ ତିଥିକୁ ନେଇ ଇସ୍କନ୍‌ ବିରୋଧରେ ପୁଣିଥରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଜୁଲାଇ ୧୫ ଓ ୧୬ ତାରିଖରେ ୟୁରୋପ, ଇଂଲଣ୍ଡ, କାନାଡା, ଆମେରିକା, ନେଦରଲ୍ୟାଣ୍ଡସ୍‌, ସ୍ୱିଜରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ଇସ୍କନ୍‌ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇଛି।ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ନିର୍ଦ୍ଦିଷ୍ଟ ତିଥି ଓ ରୀତିନୀତି ଅନୁସାରେ ପାଳନ ହୋଇଆସୁଥିବା ବେଳେ ବିଦେଶରେ ଭିନ୍ନ ତାରିଖରେ ଏଭଳି ଆୟୋଜନକୁ ନେଇ କେତେକ ମହଲରେ ଆପତ୍ତି ଉଠିଛି। ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ଇସ୍କନ୍‌କୁ ତାଗିଦ କରାଯାଇଥିବା ଦାବି କରାଯାଇଛି।

ଏହି ପ୍ରସଙ୍ଗରେ କେତେକ ବରିଷ୍ଠ ସେବାୟତଙ୍କ ସହ ଦିଲ୍ଲୀ ଓଡ଼ିଆ ଫୋରମ୍‌ ପକ୍ଷରୁ ପ୍ରାୟ ଏକ ହଜାର ଓଡ଼ିଆଙ୍କ ସ୍ୱାକ୍ଷର ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ଦିଆଯାଇଛି। ଏଥିରେ ହସ୍ତକ୍ଷେପ କରି ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଓ ଧାର୍ମିକ ରୀତିନୀତି ସମ୍ପର୍କିତ ବିବାଦର ଏକ ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରାଯାଇଛି।

ଅନ୍ୟପଟେ, ଇସ୍କନ୍‌ର ବାଙ୍ଗାଲୁରୁ ଶାଖା ପୂର୍ବରୁ ନିଜ ମତ ସ୍ପଷ୍ଟ କରିଥିବା କୁହାଯାଇଛି। ସେମାନଙ୍କ ଅନୁସାରେ, ଗଜପତି ମହାରାଜଙ୍କ ମତକୁ ସମ୍ମାନ ଦେଇ ଶାସ୍ତ୍ରୀୟ ତିଥି ଅନୁସାରେ ରଥଯାତ୍ରା ପାଳନ କରାଯାଉଛି। ଦେଶ ଓ ବିଦେଶର ଅନେକ ଇସ୍କନ୍‌ ମନ୍ଦିରରେ ମଧ୍ୟ ରଥଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପାରମ୍ପରିକ ଅବଧି ମଧ୍ୟରେ କାର୍ଯ୍ୟକ୍ରମ ସମ୍ପନ୍ନ ହେଉଥିବା ଦାବି କରାଯାଇଛି।ତେବେ ମାୟାପୁର ଇସ୍କନ୍‌ ଏବଂ ପଶ୍ଚିମ ଦେଶର କିଛି ଶାଖାର ରଥଯାତ୍ରା ଆୟୋଜନକୁ ନେଇ ମତଭେଦ ରହିଥିବା ଅଭିଯୋଗକାରୀମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆବଶ୍ୟକ ହସ୍ତକ୍ଷେପ କରି ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ରୀତିନୀତି ଓ ମର୍ଯ୍ୟାଦାକୁ ସୁରକ୍ଷିତ ରଖିବାକୁ ଦାବି ଉଠିଛି।

You may also like

Leave a Comment